ନୂଆଦିଲ୍ଲୀ, ୨୧/୨: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର ସରକାରୀ ଚାକିରିଆଙ୍କୁ ବଡ଼ ଉପହାର ଦେଇଛନ୍ତି। ସରକାର କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ ଅର୍ଥାତ ଇପିଏଫଓର ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ) ଜମା ଉପରେ ସୁଧ ହାର ବୃଦ୍ଧି କରିଛନ୍ତି। ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡରେ ସୁଧ ହାର ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଇପିଏଫଓ ୨୦୧୭-୧୮ରେ ନିଜର ଅଂଶଧାରକଙ୍କୁ ପିଏଫ ଉପରେ ୮.୫୫ ପ୍ରତିଶତ ସୁଧ ଦେଉଥିଲା। ଏହି ହିସାବରେ ଏବେ ସରକାର ଭବିଷ୍ୟ ନିଧି ଜମା ଉପରେ ସୁଧ ଦରକୁ ୮.୫୫ରୁ ବୃଦ୍ଧି କରି ୮.୬୫ ପ୍ରତିଶତ କରିଛନ୍ତି। ଏହାର ଫାଇଦା ୬ କୋଟି ସରକାରୀ ଚାକିରିଆଙ୍କୁ ମିଳିବ।
ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ସିବିଟି ଗୁରୁବାର ବୈଠକରେ ଏହି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ସଂଗଠନ ପିଏଫ ଉପରେ ସୁଧ ଦର ବଢାଯିବ ନା ନାହିଁ ଏହା ଉପରେ ସରକାରଙ୍କୁ ସୁପାରିଶ କରିଥାନ୍ତି। ବୋର୍ଡର ମଞ୍ଜୁରୀ ପରେ ଏବେ ଏହି ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ପାଖକୁ ପଠାଯାଇଥାଏ। ଏବେ ଏହି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଇପିଏଫଓ ଉପରେ ସୁଧ ଦର ଅଂଶଧାରକଙ୍କ ଖାତାରେ ଜମା କରାଯିବ।
ଏହା ପୂର୍ବରୁ ଉଚ୍ଚ ପଦସ୍ଥ ସୂତ୍ରରୁ ସଙ୍କେତ ମିଳିଥିଲା ଯେ, ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଇପିଏଫ ଜମା ରାଶି ଉପରେ ସୁଧ ହାର ବୃଦ୍ଧି କରାଯିବ। ଇପିଏଫଓ ଆର୍ଥିକ ବର୍ଷ ୨୦୧୭-୧୮ରେ ଇପିଏଫଓ ସବୁଠୁ କମ ୮.୫୫ ପ୍ରତିଶତ ସୁଧ ହାର ଥିଲା।