ଭୁବନେଶ୍ୱର,୧୩/୧୧: କୋଣାର୍କ ମନ୍ଦିରରେ ପଥର ବଦଳା ଯିବା ପ୍ରସଙ୍ଗରେ ଆଜି ସଚିବାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ କୌଣସି କାରୁକାର୍ଯ୍ୟ ପୂର୍ଣ୍ଣ ପଥର ବଦଳା ଯାଇ ନାହିଁ ବରଂ ଫାଙ୍କା ସ୍ଥାନ ପୂରଣ କରାଯାଇଛି ବୋଲି ଏଏସ୍ଆଇ କର୍ତ୍ତୃପକ୍ଷ ବୈଠକରେ କହିଛନ୍ତି । ଏ ନେଇ ପ୍ରାମାଣିକ ତଥ୍ୟ ମଧ୍ୟ ରହିଛି । ବୈଠକ ଶେଷ ହେବା ପରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସୂଚନା ଦେଇଛନ୍ତି ।
ସୂର୍ଯ୍ୟମନ୍ଦିରରେ କାରୁକାର୍ଯ୍ୟ ପୂର୍ଣ୍ଣ ପଥରକୁ ବାହାର କରି ସମତଳ ପଥର ଲଗା ଯିବା ନେଇ ଆଜି ସଚିବାଳୟରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥରେ ବିଭାଗୀୟ ସଚିବ, ଉନ୍ନୟନ କମିଶନର, ସ୍ଥାନୀୟ ବିଧାୟକ ଓ ଏଏସ୍ଆଇର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ କୋଣାର୍କର ସୁରକ୍ଷା ପାଇଁ ଷ୍ଟିୟରିଂ କମିଟି ମିଟିଂ କରିବାକୁ ଏଏସ୍ଆଇକୁ ଚିଠି ଲେଖାଯିବ । ଏହା ପୂର୍ବରୁ ୧୯୯୭ ଓ ୨୦୧୦ରେ ବସିଥିବା ଷ୍ଟିୟରିଂ କମିଟି ବୈଠକରେ କଣ ସବୁ ପଦକ୍ଷେପ ନିଆଯାଇଛି ତାହାର ତଥ୍ୟ ମଗାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ମାତ୍ର କୋଣାର୍କରେ କୌଣସି କାରୁକାର୍ଯ୍ୟ ପୂର୍ଣ୍ଣ ପଥର ଲଗାଯାଇ ନାହିଁ ବୋଲି ଏଏସ୍ଆଇ ସ୍ପଷ୍ଟଭାବରେ ମତ ରଖିଛି । ଏହାର ପ୍ରାମାଣିକ ତଥ୍ୟ ମଧ୍ୟ ରହିଛି । ତେବେ ଦିଲ୍ଲୀର ହୁମାୟୁନ ଟମ୍ବ ଭଳି କାରୁକାର୍ଯ୍ୟପୂର୍ଣ୍ଣ ପଥର ଲଗାଇବା ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ମାତ୍ର ଏଏସ୍ଆଇର ଆଇନ ଅନୁସାରେ ସାଦା ପଥର ଲାଗି ପାରିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।