ଗଣେଶ ଚତୁର୍ଥୀରେ ଗୋବର ଗଣେଶଙ୍କୁ ପୂଜାର୍ଚ୍ଚନା କଲେ ଘରକୁ ଆସିବ ସୁଖ ସମୃଦ୍ଧି

ରାୟପୁର,୨/୯: ଦେଶବ୍ୟାପୀ ସୋମବାର ଗଣେଶ ପୂଜା ଉତ୍ସାହର ସହିତ ପାଳନ ହେଉଛି। ସ୍କୁଲ-କଲେଜ, ଯୁବକ ସଂଗଠନ, କ୍ଲବ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ସମେତ ଲୋକେ ଘରେ ଘରେ ଗଣେଶ ପୂଜା କରୁଛନ୍ତି। ବିଗତ କିଛି ବର୍ଷ ହେବ ପରିବେଶ ଉପଯୋଗୀ ଗଣେଶ ପୂଜାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏଭଳି ପୂଜାକୁ ଏଇଥି ପାଇଁ ଗୁରୁତ୍ୱ ଦିଆଯାଉଛି ଯେ, ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ଓ ନଦୀକୁ ପ୍ରଦୂଷଣରୁ ମୁକ୍ତି ରଖାଯାଇପାରିବ। କୁହାଯାଇଥାଏ ଯେ, ଗୋବରରୁ ତିଆରି ଗଣେଶ ମୂର୍ତ୍ତି ଘରେ ପୂଜାର୍ଚ୍ଚନା କଲେ ସୁଖ ଓ ସମୃଦ୍ଧି ବଢ଼ିଥାଏ।

ଆଜିକାଲି ପରିବେଶ ଅନୁକୂଳ ମୂର୍ତ୍ତିକୁ ପୂଜାର ଆୟୋଜକମାନେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥି ପାଇଁ ଗୋବର ଓ ମାଟିରୁ ତିଆରି ଗଣେଶ ମୂର୍ତ୍ତି କିଛି ସହରରେ ଉପଲବ୍ଧ ହେଉଛି। ରାୟପୁରର ଏକ ସାମାଜିକ ସଂଗଠନ ପରିବେଶ ଉପଯୋଗୀ ଗଣେଶ ପୂଜାକୁ ଏକ ଅଭିନବ ରୂପ ଦେଇଛି। ସାମାସଜି ସେବା ସଂଗଠନ ‘ପହଲ ସେବା ସଂଗଠନ’ ପୋଖରୀ ଓ ନଦୀ ଜଳ ପ୍ରଦୂଷଣ ନ ହେବା ପାଇଁ ଉଦ୍ୟମ କରିଛି। ଏଥି ପାଇଁ ସଂସ୍ଥା ଗୋବରରେ ତିଆରି ହୋଇଥିବା ଗଣେଶ ମୂର୍ତ୍ତି ମାଗଣାରେ ବାଣ୍ଟିଛି। ସଂଗଠନର ସଦସ୍ୟମାନେ କହିଛନ୍ତି ଯେ, ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା କରାଯାଇଛି। ଗୋବରରୁ ପ୍ରସ୍ତୁତ ହୋଇଥିବା ଗଣେଶ ପରିବେଶକୁ କ୍ଷତି ପହଞ୍ଚାଇବ ନାହିଁ।