ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଚାଲିଲା ସଫାରି ଗାଡ଼ି

0

ବାରଙ୍ଗ,୩।୧୨ : ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ରବିବାରଠାରୁ ସଫାରି ଗାଡ଼ି ଚାଲିବା ଆରମ୍ଭ ହୋଇଛି। ଏହା ବିଧିବଦ୍ଧ ଭାବେ ଉଦ୍‌ଘାଟନ ହୋଇ ନ ଥିଲେ ମଧ୍ୟ ଅଭୟାରଣ୍ୟ କର୍ତ୍ତୃପକ୍ଷ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭାବେ ୮ ସିଟ୍‌ ବିଶିଷ୍ଟ ୫ଟି ଗାଡ଼ିକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଛି। ଆଗକୁ ୧୨ ସିଟ୍‌ ବିଶିଷ୍ଟ ସଫାରି ଗାଡ଼ି ସାମିଲ ହେବ। ପ୍ରତି ସିଟ୍‌ ପିଛା ଦେୟ ୨୦୦ଟଙ୍କା ରଖାଯାଇଛି। ଏହି ଗାଡ଼ିଗୁଡ଼ିକ ପର୍ଯ୍ୟଟକଙ୍କୁ ଧରି ଗୋଡ଼ିବାରିରୁ ବାହାରିବ। ଏହାପରେ ଚନ୍ଦକା ଜଙ୍ଗଲ ମଧ୍ୟରେ କୁମାରଖୁଣ୍ଟି ଦେଇ ଡେରାସ୍‌ ଡ୍ୟାମ୍‌ ଓ ଝୁମୁକା ଦେଖାଇ ପ୍ରାୟ ୪୦ କିଲୋମିଟର ରାସ୍ତା ଅତିକ୍ରମ କରି ପୁଣି ଗୋଡ଼ିବାରିରେ ଆସି ପହଞ୍ଚିବ। ଭ୍ରମଣର ସମୟ ସୀମା ଅଢ଼େଇ ଘଣ୍ଟା ଭିତରେ ପର୍ଯ୍ୟଟକ ଗାଡ଼ି ଭିତରେ ବସି ଜୀବଜନ୍ତୁମାନଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇବେ। ଏହାସହ ଚନ୍ଦକାର ପ୍ରାକୃତିକ ପରିବେଶ, ବନ, ପାହାଡ଼, ବିଭିନ୍ନ ପ୍ରକାର ବୃକ୍ଷଲତା ଆଦିକୁ ମଧ୍ୟ ମନଭରି ଉପଭୋଗ କରିପାରିବେ। ପ୍ରଥମ ଦିନ କେତେଜଣ ପର୍ଯ୍ୟଟକ ସଫାରି ଗାଡ଼ିରେ ବସି ଏ ସବୁର ମଜା ନେଇଥିଲେ। ତେବେ ଉଦ୍‌ଘାଟନ ଦିନ ଏହି ଗାଡ଼ିଗୁଡ଼ିକ ବିଧିବଦ୍ଧ ଭାବେ ଗଡ଼ିବ ବୋଲି ଚନ୍ଦକା-ଡମପଡ଼ା ଡିଏଫ୍‌ଓ କେଦାର ସ୍ବାଇଁ କହିଛନ୍ତି।

Leave A Reply

Your email address will not be published.