ଚାଷୀଙ୍କ ଦାବି ‘କାଳିଆ’ ନୁହେଁ କୃଷିଋଣ ଛାଡ଼

0

ଭୁବନେଶ୍ୱର ,୨୪/୧୨: ଚାଷ ଓ ଚାଷୀଙ୍କ କଲ୍ୟାଣ ପାଇଁ ଓଡ଼ିଶା ସରକାର କାଳିଆ (କୃଷକ ଆସିଷ୍ଟାଣ୍ଟ ଫର ଲାଇଭହୁଡ଼ ଆଣ୍ଡ ଇନ୍‌କମ୍‌ ଅଗ୍‌ମେଣ୍ଟେଶନ) ଯୋଜନା କରିଛନ୍ତି। ଏହି ଯୋଜନାରେ ପ୍ରତି ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ। ଆନୁଷଙ୍ଗିକ କୃଷିକାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨,୫୦୦ ଟଙ୍କା ପ୍ରଦାନ କରାଯିବ। ସେହିଭଳି ଅନେକ ସମୟରେ ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ଆଦି କାରଣରୁ ଚାଷୀମାନେ ଚାଷକାର୍ଯ୍ୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପରିବାରକୁ ବାର୍ଷିକ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ସରକାର ଯୋଗାଇଦେବେ। ଚାଷୀମାନଙ୍କ ପାଇଁ ବୀମା, ଫସଲ ବୀମା ସୁରକ୍ଷା ଆଦି କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଭନ୍ନ ରାଜ୍ୟରେ ସରକାର କୃଷି ଋଣ ଛାଡ଼ କରିବା ପରେ ଓଡ଼ିଶା ସରକାର ମଧ୍ୟ କୃଷି ଋଣ ଛାଡ଼ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ଏପରିସ୍ଥଳେ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ସମସ୍ତବର୍ଗର ଚାଷୀଙ୍କୁ ସାମିଲ କରାଯାଇଛି। ଅନ୍ୟପଟେ ଯୋଜନା ବିଷୟରେ କୌଣସି ଚାଷୀ ଜାଣିପାରି ନ ଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। ଅନ୍ୟ ଯୋଜନା ଭଳି କାଳିଆ ଯୋଜନାରେ ପ୍ରକୃତ ଚାଷୀ ଫାଇଦା ପାଇବେ ନା କୁଜି ନେତାଙ୍କୁ ହାତବାରଶି କରି ବିଭିନ୍ନ ଦଳର କର୍ମୀମାନେ ଫାଇଦା ନେବେ ତାକୁ ନେଇ ଚାଲିଛି ଆଲୋଚନା। କିଛି ଲୋକ ଏହାକୁ ନିର୍ବାଚନୀ ଚାଲ୍‌ କହିବାକୁ ମଧ୍ୟ ପଛାଉନାହାନ୍ତି।

Leave A Reply

Your email address will not be published.