ପୁରୀ,୧୨/୭: ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା ପରେ ବାହୁଡ଼ା ଯାତ୍ରା ଶେଷ ହୋଇଛି। ନଅ ଦିନର ଲୀଳାଖେଳା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡି ଆସିଛନ୍ତି।ଚଳିତ ବର୍ଷ ଉଭୟ ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବହୁତ ସଅଳ ଅନୁଷ୍ଠିତ ହୋଇଛି । ନଅ ଦିନ ଯାଏଁ ଜନ୍ମବେଦୀରେ ଲୀଳାଖେଳା କରି ଫେରିଆସିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ନିର୍ଦ୍ଧାରିତ ବହୁ ସମୟ ପୂର୍ବରୁ ରଥ ଟଣା ଆରମ୍ଭ ହୋଇଥିଲା।
ପ୍ରଥମେ ସକାଳା ୯ଟା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ଧାଡ଼ି ପହଣ୍ଡି ହୋଇଥିଲା । ଜଣକ ପରେ ଜଣ ଜନ୍ମବେଦୀରୁ ବାହାରି ପୁଣି ଥରେ ରଥ ଉପରେ ବୀଜେ କରିଥିଲେ । ଏହା ପରେ ମଧ୍ୟାହ୍ନ ୧୨ଟା ବେଳକୁ ଛେରା ପହଁରା ନୀତି ଖୁବ ଶୀଘ୍ର ସମାପନ ହୋଇଥିଲା । ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁବାଷିତ ଚନ୍ଦନ ଜଳରେ ରଥକୁ ମାର୍ଜଣା କରି ସୁବର୍ଣ୍ଣ ଖଡ଼ିକାରେ ତିନି ରଥରେ ଝାଡ଼ୁ ଦେଇଥିଲେ । ଏହା ପରେ ଚାରମାଳ ଫିଟା ଯାଇ ଘୋଡ଼ା ବନ୍ଧା ଯାଇଥିଲା । ଏହା ପରେ ପ୍ରାୟ ୧ଟା ୨୦ମିନିଟ୍ରେ ପ୍ରଥମେ ତାଳଧ୍ୱଜ ଟଣା ଯାଇଥିଲା । ପରେ ଦେବଦଳନ ଓ ନନ୍ଦିଘୋଷ ରଥ ମଧ୍ୟ ଟଣାଯାଇଥିଲା । ସାଢ଼େ ଦୁଇଟା ବେଳକୁ ତିନି ରଥ ଶରଧାବାଲିରେ ଗଡ଼ିଥିଲା । ବାହୁଡ଼ାରେ ଲକ୍ଷ ଲକ୍ଷ ଭକ୍ତ ପୁରୀ ରୁଣ୍ଡ ହୋଇଛନ୍ତି । ଘଣ୍ଟ, ଖୋଳ, ଭେରୀ,ତୁରୀ, ହରିବୋଲ ଓ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହେଉଛି ।
ସାଢ଼େ ୫ଟା ପୂର୍ବରୁ ସନ୍ଧ୍ୟା ହେବା ପୂର୍ବରୁ ବଡ଼ ଦାଣ୍ଡରେ ତିନି ରଥ ପହଁଚିଥିଲା । ଏହା ପୂର୍ବରୁ ଗଜପତି ମହାରାଜା ମଧ୍ୟସ୍ଥତା କରି ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ଭେଟ କରାଇଥିଲେ । ଏହା ପରେ ଶ୍ରୀନଅର ମରିଚିକୋଟ ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା ।