ପାରାଦୀପ, ୪/୨: ତୈଳ ବିଶୋଧନାଗାର ଆଗରେ ଗତ ୧ରୁ ଚାଲୁ୍ଥିବା ଜମିହରା କୃଷକ ଏକତା ମଞ୍ଚ ଧାରଣା ସୋମବାର ଭିନ୍ନମୋଡ଼ ନେଇଛି। ରବିବାର ମଧ୍ୟରାତ୍ରିରେ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ଧାରଣାକାରୀଙ୍କୁ ଅଭୟଚାନ୍ଦପୁର ପୋଲିସ ବଳପୂର୍ବକ ଉଠାଇନେଇ ଲକ୍ ଥାନା ପରିସରରେ ଅଟକ ରଖିଛି। ଖବର ପାଇ ୧୩ ପଞ୍ଚାୟତର ୧୭୫୨ ଜମିହରା ପରିବାରଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏନେଇ ପଞ୍ଚାୟତବାସୀ ଡାଳମପୁରଠାରୁ ଶୋଭାଯାତ୍ରାରେ ତୈଳ ବିଶୋଧନାଗାର ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ମାତ୍ର ପଞ୍ଚାୟତବାସୀ ପୋଲିସ ଦୁର୍ଗକୁ ଭେଦକରି ତୈଳ ବିଶୋଧନାଗାର ମୁଖ୍ୟ ଫାଟକରେ ଆନ୍ଦୋଳନ କରିଛନ୍ତି। ଗିରଫ ଜମିହରାଙ୍କୁ ଛାଡ଼ିବା ଓ ସେମାନଙ୍କୁ ନିଯୁକ୍ତି ଦେବା ଦାବିରେ ଏହି ଆନ୍ଦୋଳନ କରାଯାଇଛି। ଦାବି ପୂରଣ ନ ହେଲେ ୬ରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ବିରୋଧ କରାଯିବ ବୋଲି ଦୃଢ଼ ଚେତାବନୀ ଦିଆଯାଇଛି।