ଜାନୁଆରୀରେ ପ୍ରଧାନମନ୍ତ୍ରୀଙ୍କ ଦୁଇଥର ଓଡିଶା ଗସ୍ତ, ଚଳଚଞ୍ଚଳ ବିଜେପି କ୍ୟାମ୍ପ

0

ଭୁବନେଶ୍ୱର, ୧/୧: ସାଧାରଣ ନିର୍ବାଚନକୁ ବେଶ କିଛି ସମୟ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । ଖୋର୍ଦ୍ଦା ସମାବେଶ ପରେ ଜାନୁଆରୀ ୫ ତାରିଖରେ ଉତ୍ତର ଓଡିଶା ଓ ୧୬ ତାରିଖରେ ପଶ୍ଚିମ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ତିନୋଟି ଗସ୍ତକୁ ନେଇ ଏବେ ଉତ୍ସାହିତ ହୋଇପଡିଛି ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଓଡିଶା ଆସୁଛନ୍ତି । ମିଶନ ୧୨୦ ପ୍ଲସକୁ କାମରେ କରି ଦେଖାଇବା ପାଇଁ ଏବେ କେନ୍ଦ୍ରୀୟ ବିଜେପି ସମ୍ପୂର୍ଣ୍ଣ ଭାବେ ଓଡିଶା ଉପରେ ଫୋକସ ଦେଇଛି ।

ଆସନ୍ତା ଜାନୁଆରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ରହିଛି ମୟୁରଭଞ୍ଜ ଜିଲା ଗସ୍ତ । ଏଠାରେ ସେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ବହୁ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବା ପରେ ସେ ଏକ ଜନସଭାକୁ ଉଦବୋଧନ କରିବେ । ଉତ୍ତର ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ଜନସଭାରେ ବିଶେଷ କରି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଲୋକସଭା କ୍ଷେତ୍ର ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ୧୬ ତାରିଖରେ ପଶ୍ଚିମ ଓଡିଶା ଗସ୍ତରେ ସମୟରେ ମଧ୍ୟ ସରକାରୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବା ସହ ବଲାଙ୍ଗୀରରେ ଏକ ଜନସଭାକୁ ଉଦବୋଧନ କରିବେ ।

ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ସ୍ଥାନରେ ଏବେ ଜନସଭା କରି ଏବେ ମିଶନ ୧୨୦ ପ୍ଲସକୁ ସଫଳ କରିବା ପାଇଁ ଲାଗିପଡିଛି ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରୀୟ ନେତୃତ୍ୱ ମାନଙ୍କର ବାରମ୍ବାର ଓଡିଶା ଗସ୍ତକୁ ନେଇ ଆକ୍ଟିଭ ମୁଡକୁ ଚାଲିଆସିଛି ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବରିଷ୍ଠ ନେତା ରାଜନାଥ ସିଂହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥଙ୍କ ପରି ନେତା ଓଡିଶା ଗସ୍ତରେ ଆସିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.