ଜାଲ କାଗଜପତ୍ର ଦେଇ ବ୍ୟାଙ୍କରୁ ୧କୋଟି ୪୫ଲକ୍ଷ ଋଣ : ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୮/୧୨: ବ୍ୟାଙ୍କକୁ ଜାଲ କାଗଜପତ୍ର ଦେଇ ଋଣ ନେବା ଠକେଇ କରିବା ଘଟଣାରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲା ବେଗୁନିଆ ପାଟନାସାହିର ନାରାୟଣ ସେନାପତି(୪୩) ବିସାଲ ପଲିମରସ୍‌ କମ୍ପାନୀରେ ମ୍ୟାନେଜିଙ୍ଗ ପାଟର୍ନର ଅଛନ୍ତି।

ସୂଚନା ଅନୁଯାୟୀ,ଅଭିଯୁକ୍ତ ନାରାୟଣ ୨୦୧୦ ମସିହାରେ ପୁରୁଣା ଷ୍ଟେସନ ବଜାର ଆଲ୍ଲାବାଦ ବ୍ୟାଙ୍କରୁ ଜାଲକାଗଜପତ୍ର ଦେଇ ଦୁଇଟି କିସ୍ତିରେ ଲୋନ୍‌ ନେଇଥିଲେ। ପ୍ରଥମେ ସେ ୬୦ ଲକ୍ଷ ଟଙ୍କା ଲୋନ୍‌ ନେଇଥିବା ବେଳେ ଦ୍ୱିତୀୟ କିସ୍ତିରେ ୪୦ ଲକ୍ଷ ଟଙ୍କା ଲୋନ ନେଇଥିଲେ। ସେ ବାଣପୁର ମଉଜା ଓ ନନ୍ଦନକାନନ ରଘୁନାଥପୁରରେ ଥିବା ଦୁଇଟି ଜମିର କାଗଜପତ୍ର ଦେଇ ଲୋନ୍‌ ନେଇଥିଲେ। ଲୋନ୍‌ ୨୦୧୪ ମସିହାରେ ସୁଧ ମୂଳ ମିଶି ଲୋନ ୧କୋଟି ୪୫ଲକ୍ଷ ୭୯ହଜାର ୨୪୫ ଟଙ୍କାରେ ପହଞ୍ଚିଥିଲା।ବ୍ୟାଙ୍କ ତାଙ୍କୁ ଲୋନ୍‌ ପରିଶଧ କରିବା ପାଇଁ ନୋଟିସ କରିଥିଲା। ହେଲେ ନୋଟିସ ଅନୁଯାୟୀ ଲୋନ୍‌ ପରିଶଧ କରିନଥିଲେ। ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କ ତାଙ୍କ ଉପରେ ସନ୍ଦେହ ହେବାରୁ ସେ ତାଙ୍କର କାଗଜପତ୍ରକୁ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ, ନାରାୟଣ ଦେଇଥିବା ବାଣପୁରରେ ଥିବା ଜମିକୁ ସେ ବିକ୍ରି କରି ଦେଇଛନ୍ତି। ଉକ୍ତ ଜମିର ମାଲିକାନା ତାଙ୍କ ନାମରେ ନାହିଁ। ସେହିପରି ରଘୁନାଥପୁର ଜମିଟି ସରକାରୀ ଜମି ହୋଇଥିବା ଜଣାପଡିଛି। ତେଣୁ ଆଲ୍ଲାବାଦ ବ୍ୟାଙ୍କର ଚିଫ୍‌ ମ୍ୟାନେଜର ବିବିତା ସର ଇଓଡବ୍ଲ୍ୟୁରେ ଅଭିଯୋଗ କରିଥିଲେ। ଇଓଡବ୍ଲ୍ୟୁ ତଦନ୍ତ କରି ଜାଣିବାକୁ ପାଇଥିଲେ ନାରାୟଣ ଜାଲିଆତି କରି ଋଣ ନେଇଛନ୍ତି। ତେଣୁ ଶେଷରେ ଇଓଡବ୍ଲ୍ୟୁ ତାଙ୍କୁ ଝାରପଡା ସ୍ଥିତ ଘରୁ ଗିରଫ କରିଛି।