କେନ୍ଦ୍ରାପଡ଼ା,୨୭/୭: ସାରଥି ବାବା ଓରଫ ସନ୍ତୋଷ ରାଉଳ ବର୍ତ୍ତମାନ ଓଡ଼ିଶା ବାହାରେ ଥିବା ଖବର ଆସିଛି । ଏନେଇ ସାରଥିଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଥିବା ବେଳେ ସାରଥି ବର୍ତ୍ତମାନ କେଉଁ ରାଜ୍ୟରେ ଅଛନ୍ତି ସେ ନେଇ କୈାଣସି ସୂଚନା ଦେଇ ନାହାଁନ୍ତି ।
ବହୁ ଚର୍ଚ୍ଚିତ ବାବା ସାରଥି ଓରଫ ସନ୍ତୋଷ ରାଉଳ ଜେଲରୁ ମୁକୁଳିବା ପରେ କେଉଁଠି ରହୁଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ସାରଥି ରାଜ୍ୟ ବାହାରେ ଥିବା ତାଙ୍କ ଓକିଲ ମାନସ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ଇଡି ଓ କ୍ରାଇମବ୍ରାଞ୍ଚ ସ୍କାନରରେ ସାରଥିଙ୍କୁ ରଖି ତାଙ୍କ ଗତିବିଧି ଉପରେ ନଜର ରଖିବା ସତ୍ୱେ ସାରଥି କିଭଳି ରାଜ୍ୟ ବାହାରକୁ ଗଲେ ସେନେଇ ବର୍ତ୍ତମାନ ସାଧାରଣରେ ପ୍ରଶ୍ନ ଉଠୁଛି । କିନ୍ତୁ ଏହା ମଧ୍ୟରେ ଏକ ଟ୍ୱିଇଷ୍ଟ ରହିଛି । ସାରଥି ରାଜ୍ୟ ବାହାରକୁ ଯିବା ନେଇ କୋର୍ଟଙ୍କ ବାରଣ ନଥିବା ତାଙ୍କ ଓକିଲ ମାନସ କହିଛନ୍ତି । ଏବଂ ସେ କହିଛନ୍ତି ଯେ ଆଇଓଙ୍କୁ ଜଣାଇ ଯାଉଥିବା ଜାଗାର ଠିକଣା ,ଟେଲିଫୋନ ନମ୍ପର ଦେଇ ସାରଥି ବାହାରକୁ ଯାଇପାରିବେ ବୋଲି କୋର୍ଟ କହିଥିଲେ । ଓକିଲ ମାନସ କୁମାର ସାରଥି ଓଡ଼ିଶା ବାହାରେ ଥିବା କହିଥିଲେ ମଧ୍ୟ ସେ କେଉଁ ରାଜ୍ୟରେ ଅଛନ୍ତି ତାହା କହିନାହାଁନ୍ତି ।
ଆଜି ସାରଥିଙ୍କ କେନ୍ଦ୍ରାପଡ଼ାସ୍ଥିତ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୪ଜଣିଆ ଏକ ଟିମ ପହଂଚି ବେଆଇନ ସମ୍ପତି ପରଖିଥିଲେ । ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଲଗାଯାଇଥିଲା । ଯଦି ସେ ହାଇକୋର୍ଟରେ ରଖାଯାଇଥିବା କୋଣସି ସର୍ତ୍ତକୁ ଉଲଂଘନ କରନ୍ତି ତେବେ ଏହି ଦାୟିତ୍ୱରେ ଥିବା ଅଧିକାରୀ ବିଭାଗର ପରାମର୍ଶ ନେଇ ପଦକ୍ଷେପ ନେବେ ବୋଲି ନିଷ୍ପତି ହୋଇଥିଲା । ଜୁନ ୨୫ରେ ସନ୍ତୋଷ ରାଉଳ କଟକ ଚୈାଦ୍ୱାର ଜେଲରୁ ମୁକୁଳିଥିଲେ । ୪ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇ ତାଙ୍କୁ ଜାମିନ ମିଳିଥିଲା ।
ସୂଚନାଯୋଗ୍ୟ ଯେ, ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ସୋମବାର ଦିନ ଅନ୍ୟ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ୨୦୧୫ ଅଗଷ୍ଟ ୭ରେ ଭଣ୍ଡ ସାରଥିଙ୍କ କିିଛି ଅନୈତିକ ମୁହୁର୍ତ୍ତ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା ।