ଟ୍ରେନ୍‌ ଧକ୍କାରେ ବାପ-ପୁଅଙ୍କ ମୃତ୍ୟୁ , ବର୍ତ୍ତି ଗଲେ ମାଆ

ବାଲେଶ୍ୱର,୧୯/୧: ବାଲେଶ୍ୱରର ରୁପ୍‌ସା ଷ୍ଟେସନ୍‌ ଲେବଲ୍‌କ୍ରସିଂଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷ୍ଟେସନ୍‌ ନିକଟସ୍ଥ ଲେବଲ୍‌କ୍ରସିଂ ପାଖରେ ଲାଇନ୍ ପାରି ହେଉଥିବା ବେଳେ ଟ୍ରେନ୍‌ ଚାଲି ଆସିବାରୁ ଦୁର୍ଘଟଣା ଘଟି ବାପପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତିି ପତ୍ରାଜୁ ପ୍ରଧାନ ( ୩୭ ବର୍ଷ ) ଓ ତାଙ୍କ ପୁଅ ପୂର୍ବ ପ୍ରଧାନ (୪ ବର୍ଷ ) ।

ମିଳିଥିବା ସୂଚନା ଅନୁସାରେ, ବାପା,ମାଆ ଓ ପୁଅ ତିନି ଜଣ ଷ୍ଟେସନ୍‌ରୁ ଓହ୍ଲାଇ ରେଳ ଧାରଣା କଡ଼େ କଡ଼େ ଯାଉଥିଲେ। ସେହି ସମୟରେ ପଛପଟୁ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସ୍ ସେମାନଙ୍କୁ ଧକ୍କା ଦେଇଥିଲ। ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମହିଳା ଜଣକ କଡ଼କୁ ଡେଇଁ ପଡ଼ିଥିଲେ। ଫଳରେ ତାଙ୍କ ଜୀବନ ବଞ୍ଚି ଯାଇଥିବା ସୂଚନା ରହିଛି। ମାତ୍ର ଟ୍ରେନ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ଉଭୟ ବାପପୁଅଙ୍କର ମୃତ୍ୟୁ ଘଟିଛି। ସରକାରୀ ରେଳ ପୁଲିସ୍‌ କରିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି ଯେ ସେମାନଙ୍କ ଘର ଯାଜପୁର ଅଞ୍ଚଳରେ । ପୁଲିସ୍‌ ସେମାନଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ବାଲେଶ୍ୱର ଜିଲ୍ଳା ହସ୍ପିଟାଲ୍‌କୁ ପଠାଇଛି।