ପୁରୀ,୧୪/୧: ସ୍ଥାନୀୟ ତାଳବଣିଆଠାରେ ରବିବାର ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ପୁଣ୍ୟ ୯୭ତମ ଉତ୍କଳ (ପୁରୀ) ଆଗମନୀ ସ୍ମୃତି ମହୋତ୍ସବ ଅନୁଷ୍ଠିତ ହେଉଥିଲା। ସଭାକାର୍ଯ୍ୟ ଚାଲିଥିବାବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ୪୫ରେ ଏକ ହନୁ ମାଙ୍କଡ଼ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ଭିତର ଦେଇ ମଞ୍ଚ ଉପରକୁ ଆସିଥିଲା। ମଞ୍ଚାସୀନ ଅତିଥିଙ୍କ ସମ୍ମୁଖରେ ବସିଥିଲା। ହଠାତ୍ ସଭା ମଞ୍ଚରେ ମାଙ୍କଡ଼ର ଆବିର୍ଭାବ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। କେହି ଏହା ଠାକୁରଙ୍କ ଚମତ୍କାରିତା ତ ଆଉ କେହି ବୁଲା ମାଙ୍କଡ଼ ବାଟବଣା ହୋଇ ପଳାଇ ଆସିଥିବା କହିଥିଲେ। ଠିକ୍ ସେହି ସମୟରେ ବକ୍ତବ୍ୟ ରଖୁଥିବା ଜଣେ ବକ୍ତା ପ୍ରଭୁ ରାମଚନ୍ଦ୍ରଙ୍କ ପରମ ଭକ୍ତ ଆସିଗଲେ ବୋଲି କହିଥିଲେ। କିନ୍ତୁ ମାଙ୍କଡ଼ଟି ସଭା ମଞ୍ଚନ ଛାଡ଼ି ଗୋଟିଏ ପାର୍ଶ୍ୱକୁ ଚାଲିଯାଇ ଏକ ସାଉଣ୍ଡ୍ ବକ୍ସ ନିକଟରେ ବସି ବକ୍ତାଙ୍କ କଥାକୁ ଧୀର ସ୍ଥିର ହୋଇ ଶୁଣିଥିଲା। ଜଣେ ବୃଦ୍ଧା ମାଙ୍କଡ଼ ପାଖକୁ ଆସି ହାତଯୋଡ଼ି ପ୍ରଣାମ କରିଥିଲେ। ମାଙ୍କଡ଼ଟି ପ୍ରାୟ ଦେଢ଼ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚୁପ୍ଚାପ ସେମିତି ମଞ୍ଚ ଉପରେ ବସି ରହିଥିଲା। ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଅନେକ ମାଙ୍କଡ଼କୁ ମୁଣ୍ଡିଆ ମାରୁଥିବାବେଳେ ଆଉ କେହି ଫଟୋ ଏବଂ ଭିଡ଼ିଓ ଉତ୍ତୋଳନ କରୁଥିଲେ। ସଭା ପର୍ବ ପରେ ଧ୍ୱନି ଦିଆଯିବା ସମୟରେ ହଠାତ୍ ମାଙ୍କଡ଼ଟି ପୁଣି ଶ୍ରଦ୍ଧାଳୁଙ୍କ ମଧ୍ୟ ଦେଇ ପଳାଇ ଯାଇଥିଲା।