ଡିସେମ୍ବର ପର୍ଯନ୍ତ ଅମିତ ଶାହ ରହିବେ ବିଜେପି ଅଧ୍ୟକ୍ଷ

0

ନୂଆଦିଲ୍ଲୀ,୧୩/୬: ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ଡିସେମ୍ବର ଶେଷ ଯାଏ ଏହି ପଦରେ ରହିବେ। ୨୦୨୦ ଆରମ୍ଭରୁ ହିଁ ବିଜେପି ଅଧ୍ୟକ୍ଷ ପଦ ଦଳର ଅନ୍ୟ ଜଣେ ବରିଷ୍ଠ ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ଚଳିତ ଲୋକସଭା ନିର୍ବାଚନରେ ଶ୍ରୀ ଶାହ ପ୍ରଥମଥର ପ୍ରାର୍ଥୀ ହେବା ସହ ବିଜୟୀ ହୋଇଥିଲେ। ତାଙ୍କୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି।

ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଛାଡ଼ିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ବିଜେପିର କାର୍ଯ୍ୟକାରୀ କମିଟିର ବୈଠକ ବସି ଦଳର ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ବର୍ଷ ଶେଷ ଯାଏ ଅମିତ ଶାହ ଦଳର ମୁଖିଆ ଭାବେ କାର୍ଯ୍ୟ କରିବେ ବୋଲି ନିଷ୍ପତ୍ତି ହୋଇଛି। କାରଣ ଚଳିତ ବର୍ଷ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିଆଣା ଭଳି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ।

ତେଣୁ ନୂଆ ବିଜେପି ମୁଖ୍ୟ ନିଯୁକ୍ତ ହେଲେ ସେ ଠିକ୍‌ ଭାବେ ଗୋଟି ଚାଳନା କରିପାରିବେ ନାହିଁ ବୋଲି ଦଳୀୟ ନେତା ଓ କର୍ମୀମାନେ ଆଶଙ୍କା କରିଥିଲେ। ତେଣୁ ଏସବୁ ରାଜ୍ୟରେ ନିର୍ବାଚନ ସରିବା ଯାଏ ଅମିତ ଶାହ ହିଁ ବିଜେପିର ମୁଖ୍ୟ ହୋଇ ରହିବେ ବୋଲି ନିଷ୍ପତ୍ତି ହୋଇଛି।

ଆଜି ଅମିତ ଶାହ ଦିଲ୍ଲୀ ବିଜେପିର ଅଫିସ ଅଧିକାରୀଙ୍କ ସମେତ ଦଳର ସବୁ ସାଧାରଣ ସମ୍ପାଦକ ଓ ରାଜ୍ୟ ମୁଖ୍ୟମାନେ ଯୋଗଦେଇଥିଲେ। ଏହି ବୈଠକରେ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ ବୋଲି ନିଷ୍ପତ୍ତି ହୋଇଛି। ପରବର୍ତ୍ତୀ ବିଧାନସଭା ନିର୍ବାଚନ ପୂର୍ବରୁ ୨୦% ନୂତନ ସଭ୍ୟ ସଂଗ୍ରହ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ କୁହାଯାଇଛି। ଏହି ସଭ୍ୟ ସଂଗ୍ରହ ଅଭିଯାନର ମୁଖ୍ୟ ଶିବରାଜ ସିଂହ ଚୌହାନ ରହିବେ। ତାଙ୍କ ନେତୃତ୍ୱରେ ଅନ୍ୟମାନେ କାର୍ଯ୍ୟ କରିବେ।

Leave A Reply

Your email address will not be published.