ଢେଙ୍କାନାଳ, ୧/୧୨ : ଢେଙ୍କାନାଳ ଜିଲ୍ଲା ବେଲଟିକିରିରେ ଥିବା ‘ଡ୍ରିମ୍ ସେଣ୍ଟର୍’ର ପରିଚାଳକଙ୍କୁ ଗିରଫ କରାଯାଇଛି । ଶିଶୁଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗରେ ପରିଚାଳକ ସୀମାଞ୍ଚଳ ନାଏକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏତଲାକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ପରିଚାଳକୁ ଗିରଫ କରାଯାଇଛି । ଏହି ଘଟଣାକୁ ନେଇ ବେଲଟିକିରି ଗାଁରେ ଉତେଜନା ଦେଖାଦେଇଛି । ସେଲ୍ଟର୍ର ମୁଖ୍ୟ ଅଭିଯୁକ୍ତ ଡକ୍ଟର ଫାୟାଦ ରେହେମାନଙ୍କୁ ଗିରଫ କରିବାକୁ ସ୍ଥାନୀୟ ଅଂଚଳରେ ଦାବି ହୋଇଛି । ଗତକାଲି ରାତିରେ ସିଡବଲ୍ୟୁସି ଓ ଜିଲ୍ଲା ଶିଶୁ ଅଧିକାରୀ ଚଢଉ କରି ପରିଚାଳକଙ୍କୁ ଗିରଫ କରିଛନ୍ତି ।
୨୦୧୨ରେ ଢେଙ୍କାନାଳ ସହରରେ ସେଲ୍ଟର ହୋମ୍ ଖୋଲିଥିଲା । ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଘୋଷଣା କରି ୨୦୧୫ରେ ବନ୍ଦ କରିଦେଇଥିଲା । ଯାହାର ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ଏହା ପରେ ମଧ୍ୟ ୨୦୧୬ରେ ବେଲଟିକିରିରେ ଡ୍ରିମ୍ ସେଣ୍ଟର୍ ସେଲ୍ଟରର୍ ହୋମ୍ ଖୋଲିଥିଲା । ଯେଉଁଥିରେ ୫୪ ଜଣ ନାବାଳିକା ଓ ୪୦ ଜଣ ନାବାଳକଙ୍କ ସମେତ ମୋଟ ୯୪ ଜଣ ରହୁଛନ୍ତି । ନାବାଳିକାଙ୍କୁ ଦୀର୍ଘ ୨ ବର୍ଷ ହେବ ପରିଚାଳକ ସୀମାଞ୍ଚଳ ଯୌନ ନିର୍ଯ୍ୟାତନା ଦେଇ ଆସୁଥିଲା ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଶିଶୁ ମଙ୍ଗଳ କମିଟି ମିଳିତ ଭାବେ ଚଢ଼ଉ କରିଥିଲା । ଶିଶୁ ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେଇଥିଲେ ।