ଭୁବନେଶ୍ଵର,୧୫/୭: ରାଜ୍ୟରେ ଯେ କୌଣସି ବଡ଼ ଧରଣର କିମ୍ବା ଅତି ସମ୍ବେଦନଶୀଳ ଘଟଣା ଘଟିଲେ ରାଜ୍ୟ ସରକାର ତୁରନ୍ତ ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତି କିମ୍ବା ତଦନ୍ତ କମିଶନ ବସାଇ ଦିଅନ୍ତି। ଯାହା ପରବର୍ତ୍ତୀ ସମୟରେ କିଛି ଫଳବତୀ ହୁଏ ନାହିଁ। ତଦନ୍ତ ନାଁରେ ବର୍ଷ ବର୍ଷ ପରେ ଗଡିଚାଲିଛି ଏବଂ ପାଣି ପରି ଅର୍ଥ ଖର୍ଚ୍ଚ ହୋଇଛି କିନ୍ତୁ ଫଳ ଶୂନ। କେବଳ ଭେଳିକିରେ ପରିଣତ ହୋଇଛି ତଦନ୍ତ କମିଶନ। ଏହା ଆମେ କହୁନାହୁଁ ଏହା ବିଚାର ବିଭାଗୀୟ ତଦନ୍ତ ନେଇ କଂଗ୍ରେସର ବରିଷ୍ଠ ନେତା ବିଧାୟକ ନରସିଂହଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉତ୍ତରରୁ ଜାଣିବାକୁ ମିଳିଛି।
ନରସିଂହଙ୍କ ପ୍ରଶ୍ନର ଉତ୍ତର ଦେଇ ଦିବ୍ୟଶଙ୍କର ଗୃହରେ ସୋମବାର କହିଛନ୍ତି ଯେ, ୨୦୧୦ରୁ ଏ ଯାଏଁ ୯ଟି ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାର ପାଇଛନ୍ତି ୪ଟି ରିପୋର୍ଟ। ଏଥିରୁ ବିଧାନସଭାରେ ଉପସ୍ଥାପିତ ହୋଇ ସାରିଛି ୩ଟି ରିପୋର୍ଟ। ଏଥିରୁ ଆପଣ ଯାଣି ପାରିବେ ଯେ ତଦନ୍ତ ନାମରେ କେମିତି ସରକାର ସମୟ ଗଡେଇ ଚାଲିଛନ୍ତି ଏବଂ ରାଜ୍ୟରେ ତଦନ୍ତ କମିଶନ କେବଳ ଭେଳିକିରେ ପରିଣତ ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ, ଚିଟଫଣ୍ଡ କମିଶନଙ୍କ ପାଇଁ ସର୍ବାଧିକ ୫ କୋଟି ୫୫ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହି ପରି ଅତି ସମ୍ବେଦନଶୀଳ ରତ୍ନଭଣ୍ଡାର ଚାପି ହଜିବା ମାମଲାରେ କମିଶନଙ୍କ ପିଛା ଖର୍ଚ୍ଚ ହୋଇଛି ୨୨ ଲକ୍ଷ ଟଙ୍କା। ରତ୍ନଭଣ୍ଡାରର ତଦନ୍ତ ରିପୋର୍ଟ ମିଳି ସାରିଛି, ଏବେ ତର୍ଜମା ଚାଲିଛି।
ଦିବ୍ୟଶଙ୍କର କହିଛନ୍ତି ଯେ, ୯ଟି ବିଚାର ବିଭାଗୀୟ ତଦନ୍ତରୁ କୁନ୍ଦୁଲି ଦୁଷ୍କର୍ମ, ଗୁମୁଡୁମାହା ଗୁଳିକାଣ୍ଡ ଓ ସମ ହସ୍ପିଟାଲ ମାମଲାର ରିପୋର୍ଟ ଆସିନି। ଅନ୍ୟ ପଟେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବା ପିପିଲି ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।