ଭୁବନେଶ୍ୱର,୧୯/୧୨: ଓଡ଼ିଶା ପାଇଁ କେନ୍ଦ୍ର ସରକାର ତିତଲି ସହାୟତା ଘୋଷଣା ପରେ ମଧ୍ୟ ଏଥିରେ କେଁ ବାରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଓଡ଼ିଶା ପାଇଁ କେନ୍ଦ୍ର ସରକାର ୧୦୨୩ କୋଟି ଟଙ୍କା ଘୋଷଣା ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି। ଏହାସହ କ୍ଷତିପୂରଣ ନେଇ କେନ୍ଦ୍ରର ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ଶ୍ରୀ ଆଚାର୍ଯ୍ୟ।
ସେ କହିଛନ୍ତି ଯେ ଓଡ଼ିଶାକୁ କେନ୍ଦ୍ର ସରକାର ସାବତ ପୁଅ ଭଳି ନଦେଖନ୍ତୁ। କେନ୍ଦ୍ର ସରକାର ଓଡ଼ିଶା ପାଇଁ ଘୋଷଣା କରିଥିବା ୧୦୨୩ କୋଟି ଟଙ୍କା ତିତଲି ସହାୟତା ପାଇଁ ପର୍ଯ୍ୟାପ୍ତ ପାଣ୍ଠି ନୁହେଁ। ଅନ୍ୟ ରାଜ୍ୟ ଭଳି ଓଡ଼ିଶାକୁ କ୍ଷତିପୂରଣ ସହାୟତା ମିଳୁ। ଏ ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ନୋଟିସ୍ ଦେଇଛନ୍ତି। ଗୃହରେ ଅଚଳବସ୍ଥା ଲାଗିନରହିଲେ ଆସନ୍ତାକାଲି ଏ ନେଇ ଆଲୋଚନା ହେବ ବୋଲି ବିଜେଡି ସାଂସଦ ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ଓଡ଼ିଶାକୁ ଅତିରିକ୍ତ ସହାୟତା ନମିଳିବା ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବିଭାଗୀୟ ମନ୍ତ୍ରାଳୟକୁ ଚିଠି ଲେଖି ଓଡ଼ିଶାକୁ ତିତଲି ସହାୟତା ଦେବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀ ଚିଠିରେ କ୍ଷତିଭରଣା କରିବା ପାଇଁ ଆବଶ୍ୟକ ହେଉଥିବା ୨ ହଜାର ୨୩ କୋଟି ଟଙ୍କାର ସ୍ମାରକପତ୍ର ପ୍ରଦାନ କରାଯାଇଥିବା କହିଥିଲେ। କ୍ରମେ ଗୃହ ମନ୍ତ୍ରାଳୟ ଏନଡିଆରଏଫ ପାଣ୍ଠିରୁ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଥିଲା।