ପୁରୀ,୪/୭: ଆଜି ଅପରାହ୍ଣ ୧ଟା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ଆରମ୍ଭ କରିଛନ୍ତି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସିଞ୍ଚନ କରିବା ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରାପହଁରା କରିଥିଲେ। ଏହା ପରେ ଗଜପତି ମହାରାଜ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବା ପରେ ରଥଟଣା ଆରମ୍ଭ ହେବ।
ଆଜି ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥିଲା। ପହଣ୍ଡିରେ ପ୍ରଥମେ ଆସିଥିଲେ ସୁଦର୍ଶନ। ତାଙ୍କ ପଛକୁ ବଡ଼ଠାକୁର ବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ଶେଷରେ ମଦନମୋହନ ରଥକୁ ବିଜେ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତି ରଥରେ ବିଜେ କରିବା ପରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ତିନି ରଥକୁ ଯାଇ ଦିଅଁମାନଙ୍କୁ ଦର୍ଶନ କରିଥିଲେ।