ତେଲେଙ୍ଗାନା କଂଗ୍ରେସ ନେତାଙ୍କ ଚାଞ୍ଚଲ୍ୟକର ଅଭିଯୋଗ : ପୁଅ ପାଇଁ ଭକ୍ତ ଦାସ ଅଡ଼ୁଆରେ

0

ବିଶାଖାପାଟଣା,୧୮/୧୧ : ପୁଅମାନଙ୍କ ଅପକୀର୍ତ୍ତି ପାଇଁ ନେତାମାନଙ୍କୁ ଅଡ଼ୁଆରେ ପଡ଼ିବା ଦେଖାଯାଇଥାଏ। ଡିସେମ୍ବର ୭ ତାରିଖରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟାକୁ ନେଇ ବଡ଼ ବିବାଦ ସୃ୍ଷ୍ଟି ହୋଇଛି। ଏହି ବିବାଦରେ ଫସିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ତେଲେଙ୍ଗାନା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ। ରାଙ୍ଗାରେଡ୍ଡି ଜିଲ୍ଲା କଂଗ୍ରେସ ସଭାପତି କେ.ମାଲେଶ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଭକ୍ତଙ୍କ ପୁଅ ସାଗରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ରାଙ୍ଗାରେଡ୍ଡି ଜିଲ୍ଲା ଇବ୍ରାହିମପଟ୍ଟନମ୍ ଆସନରୁ ଟିକେଟ୍ ପାଇଁ ସେ ପ୍ରବଳ ଦାବିଦାର ଥିଲେ। ହେଲେ ଦଳ ଏଥିପାଇଁ ତାଙ୍କଠାରୁ ୩ କୋଟି ଟଙ୍କା ଦାବି କରିଥିଲା। ଏଆଇସିସି ସ୍କ୍ରିନିଂ କମିଟି ମୁଖ୍ୟ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଏଥିପାଇଁ ମଧ୍ୟସ୍ଥି ସାଜିଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ସାଗରଙ୍କ କଥାବାର୍ତାର ଏକ ଅଡିଓ ଟେପ୍ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଛନ୍ତି। ଏହି ଅଭିଯୋଗ ଓ ଅଡିଓ ଟେପ୍ ପ୍ରକାଶ ପରେ ତେଲେଙ୍ଗାନା କଂଗ୍ରେସରେ ହଇଚଇ ସୃଷ୍ଟି ହୋଇଛି। ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଏହି ଖବର ଛାଇ ଯାଇଛି। ସୂଚନାଯୋଗ୍ୟ, ମାଲେଶ ଏହାପରେ ବିଦ୍ରୋହୀ ପ୍ରାର୍ଥୀ ଭାବେ ଉକ୍ତ ଆସନରୁ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବେ ବୋଲି ଘୋଷଣା ମଧ୍ୟ କରି ସାରିଛନ୍ତି।

Leave A Reply

Your email address will not be published.