ନୂଆଦିଲ୍ଲୀ, ୮/୧ : ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ମାମଲାରେ ଆଜି ସୁପ୍ରିମ କୋର୍ଟ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି । ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବାର ସରକାରଙ୍କ ନିଷ୍ପତିକୁ ଖାରଜ କରି ତାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ପୂନଃଅବସ୍ଥାପିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁପ୍ରିମ କୋର୍ଟଙ୍କ ଏହି ରାୟ ପରେ କେନ୍ଦ୍ର ସରକାରଙ୍କୁ ଝଟକା ଲାଗିଥିବା କୁହାଯାଉଛି । ତେବେ ଆଲୋକ ବର୍ମା ଯଦିଓ ସିବିଆଇ ନିର୍ଦ୍ଦେଶକ ଭାବରେ ପୁନଃଅବସ୍ଥାପିତ ହୋଇ ନିଜ କାର୍ଯ୍ୟାଳୟ ଯାଇ ପାରିବେ, କି;ୁ ସେ କୌଣସି ନୀତିଗତ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ସହିତ ସିବିଆଇ ମୁଖ୍ୟ ଭାବରେ ଅନ୍ତରୀଣ ଦାୟୀତ୍ୱ ଦିଆଯାଇଥିବା ଏମ ନାଗେଶ୍ୱର ରାୱଙ୍କ ନିଯୁକ୍ତିକୁ ମଧ୍ୟ ସୁପ୍ରିମ କୋର୍ଟ ରଦ୍ଧ କରିଛନ୍ତ । ତେବେ କୋର୍ଟ ଏହି ମାମଲାକୁ ଚୟନ କମିଟିକୁ ପଠାଇଛନ୍ତି । ଚୟନ କମିଟିର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତି ବର୍ମା କୌଣସି ନୂଆ ନିଷ୍ପତ୍ତି ନେଇ ପାରିବେ ନାହିଁ, ସେ କବଳ ପୁରୁଣା ମାମଲାର ଦେଖାରେଖା କରିବେ ବୋଲି କୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ସିବିଆଇ ନିର୍ଦ୍ଦେଶକ ଆଲୋକ କୁମାର ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସାର୍ବଜନୀନ ହେବା ପରେ ସରକାର ରାତାରାତି ଏହି ଦୁଇ ଅଧିକାରୀଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରି ଛୁଟିରେ ପଠାଇବାର ନିଷ୍ପତ୍ତି ନେଇଥିଲେ । ଏହି ୨ ଅଧିକାରୀ ପରସ୍ପର ଉପରେ ଭ୍ରଷ୍ଟାଚାରର ଆରୋପ ଲଗାଇ ଥିଲେ । ତେବେ ସରକାରଙ୍କ ଏହି ରାୟକୁ ବର୍ମା ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ୨ ବର୍ଷର ଦାୟୀତ୍ୱ ଅବଧି ସମ୍ପୁର୍ଣ୍ଣ ନହେବା ପର୍ଯ୍ୟନ୍ତ ସିବିଆଇ ମୁଖ୍ୟଙ୍କୁ ପଦବୀରୁ ହଟା ଯାଇ ପାରିବ ନାହିଁ, ସେ କେବଳ ଉଚ୍ଚ ସ୍ତରୀୟ ଚୟନ କମିଟିର ନିଷ୍ପତିରେ ପଦବୀ ହରାଇବେ ବୋଲି ବର୍ମା କୋର୍ଟଙ୍କୁ ଦର୍ଶାଇ ଥିଲେ ।
Next Post