ନୂଆଦିଲ୍ଲୀ,୭/୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସ ନିୟନ୍ତ୍ରଣକୁ ଆସୁନାହିଁ । ରାଜ୍ୟରେ ବୁଧବାର ୪୨୮ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ୫୩୨ ହୋଇଛି । ଦିଲ୍ଲୀ ପାଇଁ ଆଶ୍ୱସ୍ତିର ଖବର ଏହା ଯେ, କରୋନା ଭାଇରସରୁ ୧ ହଜାର ୫୪୨ଜଣ ଲୋକ ସୁସ୍ଥ ହୋଇଛନ୍ତି । କିନ୍ତୁ ମୋଟ ୬୫ ଜଣ ସଂକ୍ରମିତ ଜୀବନ ହରାଇଛନ୍ତି ।
ଦିଲ୍ଲୀ ସରକାରଙ୍କ ତରଫରୁ ମେ’ ୬ ତାରିଖରେ ଜାରି ହୋଇଥିବା ସ୍ୱାସ୍ଥ୍ୟ ବୁଲେଟିନରେ କୁହାଯାଇଛି ଯେ, ମେ’ ୫ରୁ ମେ’ ୬ ମଧ୍ୟରେ ୪୨୮ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଲକଡାଉନର ଦ୍ୱିତୀୟ ପର୍ଯ୍ୟାୟରେ ଏହା ହେଉଛି ରାଜ୍ୟ ପାଇଁ ଚିନ୍ତାର ବିଷୟ । ମାତ୍ର ଦିଲ୍ଲୀରେ ସଂକ୍ରମିତ ବ୍ୟକ୍ତିମାନେ ଅଧିକ ସୁସ୍ଥ ହେଉଛନ୍ତି । ରାଜ୍ୟରେ ଏଯାଏଁ ୧ ହଜାର ୫୪୨ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏହା ମୋଟ ସଂକ୍ରମିତ ସଂଖ୍ୟାର ଏକ ଚତୁର୍ଥାଂଶ ବୋଲି ସରକାର ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।