ଦୋକାନୀ ଓଡ଼ିଆରେ ନାମଫଳକ ନଲେଖିଲେ ଗଣିବେ ୨୫ ହଜାର ଟଙ୍କା ଜୋରିମାନା

ଭୁବନେଶ୍ଵର,୧୯/୧୧: ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ଲାଗି ପ୍ରଥମ କରି ରାଜ୍ୟର ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ନାମ ଫଳକ ଓଡ଼ିଆରେ ଲେଖାଯିବାକୁ ରାଜ୍ୟ ସରକାର କଡ଼ାକଡ଼ି କରିଛନ୍ତି। କଡ଼ାକଡ଼ି ଭାବେ ଲାଗୁ କରିବାକୁ ଶ୍ରମ ବିଭାଗ ପକ୍ଷରୁ ପୋର୍ଟାଲ ଉନ୍ମୋଚନ କରାଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ମଙ୍ଗଳବାର ଓ୍ଵେବପୋର୍ଟାଲ ଓଡ଼ିଆ ଫଳକର ଉନ୍ମୋଚନ କରିଛନ୍ତି। ଏହା ସହିତ ଓଡ଼ିଆରେ ନାମ ଫଳକ ନଲେଖିଲେ ତଣ୍ଡ ଗଣିବେ ବୋଲି କୁହାଯାଇଛି।

ଓଡ଼ିଆରେ ନାମ ଫଳକ ନଲେଖିଲେ ପ୍ରଥମ ଥର ହଜାରେରୁ ପାଞ୍ଚ ହଜାର ଟଙ୍କା ଏବଂ ଦ୍ଵିତୀୟ ଥର ଖିଲାପ କଲେ ଦୁଇ ହଜାରରୁ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ତେଣୁ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏହି ତଣ୍ଡରୁ ବର୍ତ୍ତିବା ଲାଗି ଓଡ଼ିଆରେ ନାମ ଫଳକ ଲେଖିବାକୁ ପଡ଼ିବ।

ଏହା ପୂର୍ବରୁ ଗତ ଅଗଷ୍ଟ ୨୧ରେ ରାଜ୍ୟ ସରକାରଙ୍କର ସମସ୍ତ ବିଭାଗ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଗୁଡ଼ିକରେ ଆଗାମୀ ୧୫ ଦିନ ମଧ୍ୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ପାଇଁ ନିର୍ଦ୍ଦେଶ ଦିଆଇଥିଲା। ମାତ୍ର ତାହ କେତେ ଦୂର କାର୍ଯ୍ୟକାରୀ ହେଲା ଜଣା ନାହିଁ। ଏହା ବ୍ୟତୀତ ସହରାଂଚଳରେ ଥିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରି ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ପଦକ୍ଷେପ ନେବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ୧୦୦ ଗୋଟି ପ୍ରମୁଖ ପ୍ରତିଷ୍ଠାନର ତାଲିକା ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଏହି ପ୍ରମୁଖ ପ୍ରତିଷ୍ଠାନ ଗୁଡ଼ିକରେ ଡାକ୍ତରଖାନା, ଘରୋଇ ବିଦ୍ୟାଳୟ, ହୋଟେଲ ଇତ୍ୟାଦିରେ ଓଡ଼ିଆ ଭାଷାରେ ନାମ ଫଳକ ଲେଖିବା ପାଇଁ ୩୦ ଦିନ ମଧ୍ୟରେ ପଦକ୍ଷେପ ନେବାକୁ କୁହାଯାଇଥିଲା । ଓଡ଼ିଆ ଭାଷାରେ ନାମ ଫଳକ ଲେଖୁନଥିବା ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ବିରୁଦ୍ଧରେ ସର୍ବସାଧାରଣଙ୍କ ଦ୍ୱାରା ଅଭିଯୋଗ କରିବା ପାଇଁ ଏକ ପୋର୍ଟାଲ ପ୍ରଚଳନର ବ୍ୟବସ୍ଥା କରାଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।ଏହାର ପ୍ରାୟ ଦେଢ ମାସ ପରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ମଙ୍ଗଳବାର ଓ୍ଵେବପୋର୍ଟାଲ ଓଡ଼ିଆ ଫଳକର ଉନ୍ମୋଚନ କରିଛନ୍ତି।