ରାଉରକେଲା,୨୬/୩: ଏପ୍ରିଲ ୧୮ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ମଙ୍ଗଳବାର ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରାଉରକେଲା, ରଘୁନାଥପାଲି ଓ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳରୁ ୨୬ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସରୁ ପୂର୍ବତନ ଜିଲା ସଭାପତି ବୀରେନ ସେନାପତି, ବହୁଜନ ସମାଜ ପାର୍ଟିରୁ ବିଷ୍ଣୁଚରଣ ମହାନ୍ତ, ଝାଡ଼ଖଣ୍ଡ ପାର୍ଟିରୁ କ୍ରିଷ୍ଣା କଂସାରୀ, ଆମ୍ ଆଦ୍ମୀ ପାର୍ଟିରୁ ଲମ୍ବୋଦର ମହାନ୍ତ, ସ୍ବାଧୀନ ପ୍ରାର୍ଥୀ ରୂପେ ମିନତୀ ଦେବତା, ହେମା ଏକ୍କା, ବିକାଶ ମାନସିଂ ଓ ଧର୍ମେନ୍ଦ୍ର ମହାପାତ୍ର ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ ସେଠୀ, ଆମ୍ ଆଦମୀ ପାର୍ଟିର ଅଞ୍ଜଳି ବାଙ୍କରା, କୋଶଳ ଜନତା ଦଳର ଉଗ୍ରସେନ ପାତ୍ର, ଝାଡ଼ଖଣ୍ଡ ପାର୍ଟିର ରାମଚନ୍ଦ୍ର ବଡ଼ାଇକ, ସ୍ବାଧୀନ ପ୍ରାର୍ଥୀ ପ୍ରମୋଦ ନାୟକ, କ୍ଷେତ୍ରମୋହନ ମସାନ୍ତ, ଜୟକୃଷ୍ଣ ମହାନନ୍ଦିଆ, ମହେନ୍ଦ୍ର କୁମ୍ଭାର ପାନପୋଷ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି। ବୀରମିତ୍ରପୁର ବିଧାନସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ତଥା ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ, ବିଜେଡିର ମଖଲୁ ଏକ୍କା ଓ ଭାଜପାର ପୂର୍ବତନ ବିଧାୟକ ଶଙ୍କର ଓରାମ ରାଉରକେଲା ଏଡିଏମ୍ଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏମାନଙ୍କ ବ୍ୟତୀତ ବହୁଜନ ସମାଜ ପାର୍ଟିର ପାଉଲୁସ ଓରାମ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସେବିଆନ ଆଇନ୍ଦ ଓ ଝାଡ଼ଖଣ୍ଡ ପାର୍ଟିର ଲକ୍ଷ୍ମୀଧର ସ ଏହି ଆସନ ପାଇଁ ନାମାଙ୍କନ ଭରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ରୂପେ ସଞ୍ଜୀବ ପ୍ରତାପ ସିଂଦେଓ, ପିଟର ଟପ୍ନୋ, ଚନ୍ଦ୍ରମୋହନ ମାଝି ଓ ସୁଶିଲ କିଣ୍ଡୋ ମଧ୍ୟ ବୀରମିତ୍ରପୁର ପାଇଁ ନାମାଙ୍କନ ଭରିଛନ୍ତି। ଅନ୍ୟପକ୍ଷରେ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ବିଜେଡି ଟିକେଟ ଆଶାୟୀ ଥିବା ମିନତୀ ଦେବତା ନିଜ ସମର୍ଥକଙ୍କ ସହ ବିଜେଡି ପତାକା ଧରି ନାମାଙ୍କନପତ୍ର ଦାଖଲ କରିବାକୁ ଆସିଥିଲେ। ଏହି ଅବସରରେ ସେ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ବିରୋଧରେ ବିଷ ଓଗାଳିଛନ୍ତି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସାରଦାଙ୍କ ସହ ଆଉ ରାଉରକେଲାବାସୀ ନାହାନ୍ତି। ଅତୀତରେ ସେ ଦଳ ଓ ସହରବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ଅର୍ବାନ ବ୍ୟାଙ୍କ ନିର୍ବାଚନରୁ ନେଇ କଲେଜ ନିର୍ବାଚନ ସବୁଥିରେ ସାରଦା ଫେଲ୍ ମାରିଛନ୍ତି। ଦଳ ସୁପ୍ରିମୋଙ୍କଙ୍କ ପାଖରେ ଏ ନେଇ ଅସଲ ତଥ୍ୟ ନାହିଁ। ବିଗତ ଦିନରେ ସାରଦା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଚପଲ ମାଳ ପିନ୍ଧାଇବାଠାରୁ ନେଇ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥିଲେ।