ବଲିଉଡ଼୍ର ବିଗ୍ବି ଅମିତାବ୍ ବଚ୍ଚନଙ୍କ ବଦାନ୍ୟତା ବିଷୟରେ ଆପଣ ଅନେକ ସମୟରେ ଶୁଣିବାକୁ ପାଉଥିବେ । ଅନେକ ସମୟରେ ନିଜର ସାହାଯ୍ୟକାରୀ ମନୋବୃତ୍ତି ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ନିକଟରେ ପୁଣି ଥରେ ନିଜର ଦୟାଭାବ ପାଇଁ ଅଭିନେତା ଅମିତାବ୍ ଗଣାମାଧ୍ୟମର ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ଏହିଥର ସେ ସଫାଇ କର୍ମଚାରୀଙ୍କ ୨୫ଟି ମେସିନ୍ ଦାନ କରିଛନ୍ତି । ଏହାର ସୂଚନା ସେ ନିଜ ସୋଶାଲ୍ ଆକାଉଣ୍ଟରେ ଦେଇଛନ୍ତି । ସୂଚନାନୁଯାୟୀ, ପୂର୍ବରୁ ଅମିତାବ୍ ସଫାଇ କର୍ମଚାରୀଙ୍କ ଅମାନବୀୟ ସ୍ଥିତିକୁ ପରିଲକ୍ଷିତ କରି ତାଙ୍କୁ ୫୦ଟି ସଫେଇରେ ନିୟୋଜିତ ମେସିନ୍ ଦେବା ପାଇଁ କହିଥିଲେ, ଯାହାକୁ ସେ ବର୍ତ୍ତମାନ ପୂରଣ କରିଛନ୍ତି । ସେ ଏନେଇ ସୂଚନା ଦେବା ସମୟରେ ନିଜ ସୋଶାଲ୍ ଆକାଉଣ୍ଟରେ ଲେଖିଛନ୍ତି ‘ଭାରତ ହେବ ସ୍ୱଚ୍ଛ’ । ହାତରେ ସଫା କରୁଥିବା କର୍ମଚାରୀଙ୍କ ସ୍ଥିତିକୁ ଦେଖି ମୁଁ ତାଙ୍କୁ ୫୦ଟି ସଫା କରୁଥିବା ଯନ୍ତ୍ରପାତି ଦେବା ପାଇଁ କହିଥିଲି ଯାହାକୁ ମୁଁ ବର୍ତ୍ତମାନ ପୂରଣ କରିଛି । ମୁଁ ତାଙ୍କ ୨୫ ଭିନ୍ନ ଭିନ୍ନ କାର୍ଯ୍ୟ କରୁଥିବା ସଫେଇ ଯନ୍ତ୍ରପାତି ଦେଇଛି ଏବଂ ବିଏମ୍ସିକୁ ଏକ ବଡ ଟ୍ରକ୍ ମେସିନ୍ ଉପହାର ସ୍ୱରୂପ ପ୍ରଦାନ କରିଛି’ । ଏନେଇ ସେ କିଛି ଫଟୋ ମଧ୍ୟ ସେୟାର୍ କରିଛନ୍ତି ।