ଭୁବନେଶ୍ୱର,୧୩/୭ : ଧାର୍ଯ୍ୟ କୋଟାରୁ ଅଧିକ ମଦ ବିକିଲେ ଦୋକାନୀଙ୍କୁ ପୁରସ୍କାର ଦେବାକୁ ସୁପାରିଶ କରିଛି ବିଧାନସଭାର ଅବକାରୀ ସ୍ଥାୟୀ କମିଟି । ଏହା ପଛର ଯୁକ୍ତି ହେଉଛି ମଦରୁ ଯେମିତି ଅଧିକ ରାଜସ୍ୱ ମିଳିବ ସେଥିଲାଗି ପ୍ରୋତ୍ସାହିତ କରିବା। ଗତ ଦଶବର୍ଷରେ ମଦରୁ ସରକାର ପାଉଥିବା ରାଜସ୍ୱ ପାଖାପାଖି ୫ ଗୁଣ ବଢିଥିଲେ ବି ଆହୁରି ଅଧିକ ରାଜସ୍ୱ ଲୋଭରେ ଅଧିକ ବିଦେଶୀ ମଦ ଦୋକନ ଖୋଲିବା ସହ ମଦଦୋକାନୀଙ୍କୁ ପୁରସ୍କାର ପରି ଅଦ୍ଭୁତ ପ୍ରସ୍ତାବ ଦେଇଛି କମିଟି । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ।
ଅତୀତରେ ମଦମୃତ୍ୟୁୟର ଏମିତି ଅନେକ ବିଭୀଷିକା ରାଜ୍ୟ ରାଜନୀତିରେ ହଇଚଇ ଆଣିଛି । ହେଲେ ମଦରୁ ଆସୁଥିବା ରାଜସ୍ୱର ଲୋଭ କିନ୍ତୁ ସରକାରଙ୍କୁ ଯେମିତି ଅନ୍ଧ କରି ଦେଇଛି। ଏହାର ତାଜା ଉଦାହରଣ ବିଧାନସଭା ଷ୍ଟାଣ୍ଡିଂ କମିଟିର ଏ ସୁପାରିଶ। ୧୨ଟି ସୁପାରିଶ ଭିତରୁ ୪ ନମ୍ବର ଉପରେ ନଜର ପକାନ୍ତୁ ଯେଉଁ ମଦ ଦୋକାନୀ ମିନିମମ୍ ଗ୍ୟାରେଣ୍ଟି କୋଟା ବା ଧାର୍ଯ୍ୟ କୋଟା କିମ୍ବା ତାଠାରୁ ଅଧିକ ମଦ ବିକ୍ରି କରୁଛନ୍ତି ସେହି ଦୋକାନୀକୁ ପୁରସ୍କୃତ କରିବାକୁ କମିଟି ସୁପାରିଶ କରିଛି। ଅଧିକ ରାଜସ୍ୱ ଆଦାୟ ତଥା ବିଷାକ୍ତ ମଦର ବେଆଇନ କାରବାରକୁ ରୋକିବା ପାଇଁ କମିଟି ଅଧିକ ବିଦେଶୀ ମଦ ଦୋକାନ ଖୋଲିବାକୁ ବି ପ୍ରସ୍ତାବ ଦେଇଛି । ତେବେ ଏପରି ପ୍ରସ୍ତାବକୁ ନେଇ ସରକାରଙ୍କୁ କାଠଗଡାରେ ଠିଆ କରିଛନ୍ତି ବିରୋଧୀ। ଏମିତିକି ଖୋଦ୍ ଅବକାରୀ ଷ୍ଟାଣ୍ଡିଂ କମିଟରେ ସଦସ୍ୟ ଥିବା ପୂର୍ବତନ ଅବକାରୀ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସୁରେଶ ରାଉତ କହିଛନ୍ତି ଏମିତି ପ୍ରସ୍ତାବ କମିଟି ଦେଇନି।
ଏବେ ବିଦେଶୀ ଅଫସପ୍ ଓ ଅନସପ୍କୁ ମିଶାଇ ରାଜ୍ୟରେ ଅଛି ୧୬୭୫ ମଦ ଦୋକାନ। ଏହାବାଦ୍ ୯୫ ବିୟର ପାର୍ଲର, ୩୪ଟି ମିଲିଟାରୀ କ୍ୟାଣ୍ଟିନ ଓ ୧୮ଟି କ୍ଲବ୍ ମଦ କାରବାର ପାଇଁ ଲାଇସେନ୍ସ ପାଇଛନ୍ତି । ଆଉ ଏ ହେଉଛି ଗତ ୧୦ ବର୍ଷର ମଦରୁ ଆସୁଥିବା ରାଜସ୍ୱରୁ ହିସାବ । ୨୦୦୯-୧୦ରେ ଅବକାରୀ ରାଜସ୍ୱ ଥିଲା ୮୪୮ କୋଟି ଟଙ୍କା । ଏବେ ଏହା ବଢି ପହଁଞ୍ଚିଲାଣି ୩୯୨୫ କୋଟିରେ । ଚଳିତ ବର୍ଷ ମଦରୁ ୪୬୦୦ କୋଟି ଆଦାୟ ପାଇଁ ଲକ୍ଷ୍ୟ ରହିଛି । ରାଜସ୍ୱ ବଢିଥିଲେ ବି ସରକାରଙ୍କ କିନ୍ତୁ ଲୋଭ କମିନି । ତେବେ ପୂର୍ବତନ ଅବକାରୀ ମନ୍ତ୍ରୀ ଶଶିବେହେରା କହିଛନ୍ତି ଷ୍ଟାଣ୍ଡିଂ କମିଟିର ସବୁ ପ୍ରସ୍ତାବ ଗ୍ରହଣ ହୁଏନି।