ନୂଆଦିଲ୍ଲୀ, ୧୬/୧: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲାରେ ଅପରାଜିତ ଦମଦାର ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇବା ପରେ ମହେନ୍ଦ୍ର ସିଂହଙ୍କ ସବୁ ଦିଗରେ ଛୁଟୁଛି ପ୍ରଶଂସାର ସୂଅ। ଏହି ପାଳି ଜରିଆରେ ମାହି ସାବ୍ୟସ୍ତ କରିଛନ୍ତି ଯେ ସେ ଏବେ ମଧ୍ୟ ଦୁନିଆର ସର୍ବଶ୍ରେଷ୍ଠ ଫିନିସର। ଏହା ସହିତ ସେ ନିଜର ସମାଲୋଚକଙ୍କୁ ମଧ୍ୟ ଏହି ପାଳି ଜରିଆରେ ଜବାବ ଦେଇଛନ୍ତି। ଏହି କ୍ରମରେ ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ କ୍ରମାଗତ ରନ ନକରିବା ପରେ ମଧ୍ୟ ମହେନ୍ଦ୍ର ସିଂହ ଧୋନୀଙ୍କ ଦଳରେ କେତେ ମହତ୍ଵପୂର୍ଣ୍ଣ ରହିଛି ତାର ଆକଳନ କରାଯାଇ ପାରିବ ନାହିଁ।
ସେ କହିଛନ୍ତି ଯେ କୃପା କରି ଏହି ଖେଳାଳିଙ୍କୁ ସମାଲୋଚନା କରିବା ବନ୍ଦ କରନ୍ତୁ। ଆଡିଲେଡ ଦିନିକିଆରେ ଧୋନୀ ଶେଷ ଓଭରରେ ଛକା ମାରିଥିଲେ ଯାହା ତାଙ୍କ ପାଳିର ଟ୍ରେଡମାର୍କ ଥିଲା। ଏହି ପ ପାଳି ତାଙ୍କ ଉପରେ ରହିଥିବା ଚାପକୁ ମଧ୍ୟ କମ କରିଛି। ଗାଭାସ୍କର ଇଣ୍ଡିଆ ଟୁଡେରେ କହିଛନ୍ତି ଯେ କୃପା କରି ଏହି ଭଦ୍ର ଖେଳାଳିଙ୍କୁ ଏକୁଟିଆ ଛାଡ଼ି ଦିଅନ୍ତୁ ଏବଂ ସେ ଦଳ ପାଇଁ ଭଲ କରିବା ଜାରି ରଖିବେ। ତାଙ୍କର ବୟସ ଦିନକୁ ଦିନ ଢଳୁଛି। ଏଥିପାଇଁ କମ ବୟସରେ ଯେମିତି ଖେଳରେ ନିରନ୍ତରତା ଥାଏ ତାହା ବୟସ ଅଧିକ ହେଲେ ରହିବ ନାହିଁ। ତେଣୁ ଆପଣ ଧୋନୀଙ୍କୁ ସମାଲୋଚନା କରିବା ବନ୍ଦ କରନ୍ତୁ।
ଏହି ମହାନ ବ୍ୟାଟସମ୍ୟାନ କହିଛନ୍ତି ଯେ ଆପଣଙ୍କୁ ଧୋନୀଙ୍କ ଖେଳରେ ଥିବା କିଛି ଅନିରନ୍ତରାକୁ ସହିବାକୁ ପଡ଼ିବ। ମାତ୍ର ସେ ଦଳ ପାଇଁ ଏବେ ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ଖେଳାଳି। ଆପଣ ତାଙ୍କର ମହତ୍ଵକୁ ଆକଳନ କରି ପାରିବେ ନାହିଁ। ଗାଭାସ୍କର କହିଛନ୍ତି ଯେ ଧୋନୀ କ୍ରମାଗତ ବୋଲରଙ୍କୁ କେଉଁଠି ବଲ ପକାଯିବ ତାହା କହି ଚାଲିଥାନ୍ତି। ବିରୋଧୀ ବ୍ୟାଟସମ୍ୟାନ କଣ କରିବାକୁ ଚେଷ୍ଟା କରୁଛି, ତାହା ଅନୁଭବ କରି ଧୋନୀ ଜାଣି ପାରନ୍ତି ଯେ ବ୍ୟାଟସମ୍ୟାନଙ୍କ ମନରେ କଣ ଚାଲୁଛି, ସେ କଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ବ୍ୟାଟସମ୍ୟାନ କେଉଁ ଭଳି ସଟ୍ ଖେଳିବାକୁ ଚେଷ୍ଟା କରୁଛି।