ଧୋନି ସମ୍ଭାଳିବେ ସେନାର ସୁରକ୍ଷା ପୋଷ୍ଟ : ଜୁଲାଇ ୩୧ରୁ କାଶ୍ମୀରରେ ମୁତୟନ

0

ନୂଆଦିଲ୍ଲୀ,୨୫/୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବହୁତ ଶୀଘ୍ର ଭାରତୀୟ ସେନା ସହ କାମ କରିବାକୁ ଯାଉଛନ୍ତି । ସେ ଜୁଲାଇ ୩୧ରେ କାଶ୍ମୀରରେ ମୁତୟନ ଥିବା ଟେରିଟୋରିଆଲ୍ ଆର୍ମୀର ୧୦୬ ତମ ପାରାସୁଟ୍ ବାଟାଲିୟନରେ ସାମିଲ ହେବେ । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଲେପ୍ଟନାଣ୍ଟ କର୍ନଲ ମହେନ୍ଦ୍ର ସିଂହ ଧୋନି ଜୁଲାଇ ୩୧ ତାରିଖରୁ ଅଗଷ୍ଟ ୧୫, ୨୦୧୯ ପର୍ଯ୍ୟନ୍ତ ନିଜ ବାଟାଲିୟନରେ ସାମିଲ ହେବା ପାଇଁ ୧୦୬ ତମ ଟେରିଟୋରିଆଲ୍ ଆର୍ମୀ ବାଟାଲିୟନ(ପାରାସୁଟ୍) ସହିତ ଜୋଡି ହେବେ ।

କାଶ୍ମୀରରେ ମୁତୟନ ରହିଥିବା ଏହି ବାଟାଲିୟନରେ ଜୋଡି ହେବା ପରେ ଧୋନି ଗାର୍ଡ, ପୋଷ୍ଟ ଡ୍ୟୁଟି, ପେଟ୍ରୋଲିଂ ଭଳି ଡ୍ୟୁଟି ସମ୍ଭାଳିବେ ଏବଂ ଯବାନଙ୍କ ସହିତ ହିଁ ରହିବେ । ଧୋନି ଏହା ପୂର୍ବରୁ ମଧ୍ୟ କାଶ୍ମୀର ଯାଇସାରିଛନ୍ତି । ୨୦୧୭ରେ ଧୋନି ଜାମ୍ମୁ-କାଶ୍ମୀରର ବାରାମୁଲା ଯାଇଥିଲେ, ସେଠାରେ ସେ ଆର୍ମୀ ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚରେ ଗେଷ୍ଟ ଭାବେ ଅଂଶ ଗ୍ରହଣ କରିଥିଲେ । ଧୋନି ଏହି ମ୍ୟାଚକୁ ଆର୍ମୀ ୟୁନିଫର୍ମ ପିନ୍ଧି ଦେଖିବା ପାଇଁ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ ଯେ, ଏମଏସ୍ ଧୋନିଙ୍କୁ ୨୦୧୧ରେ ଇଣ୍ଡିଆନ୍ ଟେରିଟୋରିଆଲ୍ ଆର୍ମୀରେ ଲେପ୍ଟନାଣ୍ଟ କର୍ନଲ ପଦ ପ୍ରଦାନ କରାଯାଇଥିଲା । । ଭାରତୀୟ ସେନା ପାଇଁ ଧୋନିଙ୍କ ଭଳ ପାଇବା କାହା ପାଇଁ ଅଜଣା ନୁହେଁ । ଭାରତୀୟ ଦଳକୁ ଭିନ୍ନ ଏକ ପରିଚୟ ଦେବା ସହିତ ଦୁଇ ଦୁଇଥର ବିଶ୍ୱ ବିଜେତା କରାଇଥିବା ମହେନ୍ଦ୍ର ସିଂହ ଧୋନି କ୍ରିକେଟର ନୁହେଁ, ଜଣେ ବୀର ଯବାନ ହେବାକୁ ଚାହୁଁଥିଲେ । ଏକ ଇଣ୍ଟରଭ୍ୟୁରେ ଧୋନି ନିଜେ ଏ କଥା ପ୍ରକାଶ କରିଥିଲେ । କିନ୍ତୁ ଜଣେ ମହାନ କ୍ରିକେଟର ହେବା ପରେ ଧୋନିଙ୍କ ଭାରତୀୟ ସେନାରେ ଯୋଗ ଦେବାର ଇଚ୍ଛା ମଧ୍ୟ ପୂରଣ ହୋଇଯାଇଥିଲା ।

Leave A Reply

Your email address will not be published.