ଭୁବନେଶ୍ୱର,୨୫/୭: ରାଜ୍ୟର ବିଭିନ୍ନ ନଦୀରୁ ଜଳ ସମୁଦ୍ରକୁ ବୋହିଯାଉଛି। ଏହାକୁ ସରକାର ସଂରକ୍ଷଣ କରିପାରୁନାହାନ୍ତି। ମହାନଦୀ ଉପରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରି ପାଣି ଅଟକାଇବାକୁ ନେଇ ରାଜ୍ୟରେ ଶାସକ ଦଳ ତୁମ୍ବିତୋଫାନ କରୁଛି। ମାତ୍ର ରାଜ୍ୟର ବିଭିନ୍ନ ନଦୀରୁ ଅଧାରୁ ଅଧିକ ଜଳ ସମୁଦ୍ରକୁ ଚାଲିଯାଉଥିଲେ ମଧ୍ୟ ରଖା ଯାଇପାରୁନାହିଁ। ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଗୁରୁବାର ପ୍ରଶ୍ନୋତ୍ତର ବେଳେ ଏହି ସୂଚନା ଦେଇଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି ଓଡ଼ିଶାରେ ଉପଲବ୍ଧ ହେଉଥିବା ଭୂପୃଷ୍ଠ, ଭୂତଳ ଜଳ ପରିମାଣ କେତେ, ସେଥିରୁ କେତେ ପରିମାଣର ଜଳ ସମୁଦ୍ରକୁ ବୋହିଯାଉଛି, କେତେ ପ୍ରତିଶତ ଜଳ ବାଷ୍ପୀଭୂତ ହେଉଛି, ଉଭୟ ଭୂପୃଷ୍ଠ ଓ ଭୂତଳ ଜଳ ସଂରକ୍ଷିତ ପାଇଁ ଗତ ୧୦ ବର୍ଷ ଭିତରେ କି କି ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏଥିଯୋଗୁ କେତେ ପରିମାଣର ଜଳ ସଂରକ୍ଷିତ ହୋଇପାରିଛି ବୋଲି ପଚାରିଥିଲେ। ଜଳସମ୍ପଦ ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଅବବାହିକାର ଭୂପୃଷ୍ଠ ଜଳର ପରିମାଣ ରାଜ୍ୟ ଜଳ ଯୋଜନା ୨୦୦୪ ଅନୁଯାୟୀ ଆକଳନ କରାଯାଇଛି। ରାଜ୍ୟର ୧୧ଟି ନଦୀର ସମୁଦାୟ ଭୂପୃଷ୍ଠ ଜଳ ୯୫ ହଜାର ୫୪୦ ନିୟୁତ ଘନମିଟର ଜଳ ଧାରଣ କ୍ଷମତା ରହିଛି। ସେଥିରୁ ଜଳସେଚନ ପାଇଁ ୨୧ ହଜାର ୭୯୩. ୧୯ ନିୟୁତ ଘନମିଟର ଜଳ ବ୍ୟବହାର କରାଯାଉଥିବା ବେଳେ ସର୍ବସାଧାରଣ ୨୮୩.୯୫ ଏବଂ ଶିଳ୍ପଗୁଡ଼ିକ ୨ ହଜାର ୨୭୯.୮୫ ନିୟୁତ ଘନମିଟର ଜଳ ବ୍ୟବହାର କରୁଛନ୍ତି। ତେବେ ସମୁଦ୍ରକୁ ୫୦ ହଜାର ୬୪୫.୯୧ନିୟୁତ ଘନମିଟର ପାଣି ଚାଲିଯାଉଛି।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ କହିଲେ ଯେ, ଛତିଶଗଡ଼ ଆଡ଼ିବନ୍ଧ କରି ପାଣି ଅଟକାଉଛି। ରାଜ୍ୟ ସରକାର ମହାନଦୀ, ବ୍ରାହ୍ମଣୀ ଏବଂ ଅନ୍ୟାନ୍ୟ ନଦୀରେ କେବେ ଡ୍ୟାମ୍ କରି ପାଣି ରଖିବେ। ଦୟାନଦୀରେ ଆଡ଼ିବନ୍ଧ କରି ଭୁବନେଶ୍ୱର ଆଖପାଖ ଅଞ୍ଚଳର ଚାଷୀଙ୍କୁ କେବେ ପାଣି ଯୋଗାଇବେ ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଲତିକା ପ୍ରଧାନ, ବିଷ୍ଣୁବ୍ରତ ରାଉତରାୟ, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ପ୍ରମୁଖ ଜଳ ସଂରକ୍ଷଣକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ସେମାନେ କହିଥିଲେ ଯେ, ପରିବର୍ତ୍ତିତ ଜଳବାୟକୁ ଦେଖି ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କେତେ ପ୍ରକଳ୍ପ ହାତକୁ ନେଇଛନ୍ତି, ଲୋୟର ସୁକ୍ତେଲ, ଲୋୟର ଇନ୍ଦ୍ର ପ୍ରକଳ୍ପ କେବେ ସୁଦ୍ଧା ଶେଷ ହେବ। ସ୍ଥାନୀୟ ବିଧାୟକଙ୍କୁ ଡାକି ଆଲୋଚନା କରନ୍ତୁ। ରାଜ୍ୟ ସରକାରଙ୍କ ଜଳ ପରିଚାଳନା ନୀତି କିଛି ଅଛି କି? ସରକାର ଚେକ୍ଡ୍ୟାମ କରିଛନ୍ତି ମାତ୍ର ସେଗୁଡ଼ିକ ଠିକ୍ ଭାବେ ପରିଚାଳନା କରାଯାଉନାହିଁ। ପାଣି ରହିବ କେମିତି ବୋଲି ସଭ୍ୟମାନେ ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତବର୍ଷ କୁଆଖାଇ ନଦୀରେ ଜଳ ସଂରକ୍ଷଣ କରିବା ପାଇଁ ଏକ ଚେକ୍ଡ୍ୟାମ ନିର୍ମାଣ କରାଯାଉଛି। ଏହି ପାଇଲଟ ପ୍ରକଳ୍ପ ସଫଳ ହେଲେ ଅନ୍ୟାନ୍ୟ ନଦୀରେ ଡ୍ୟାମ୍ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।