ନୂଆଦିଲ୍ଲୀ,୩୧/୭: ଦିଲ୍ଲୀର ପରବର୍ତ୍ତୀ କଂଗ୍ରେସ ମୁଖ୍ୟ ପଦବୀରେ ନିଯୁକ୍ତ ହୋଇପାରନ୍ତି କଂଗ୍ରେସର ବରିଷ୍ଠ ନେତା ନବଜୋତ୍ ସିଂହ ସିଦ୍ଧୁ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ପରେ ଦିଲ୍ଲୀ କଂଗ୍ରେସ ପ୍ରଦେଶ କମିଟି(ଡିସିପିସି)ର ଏହି ପଦ ଖାଲି ପଡ଼ିଛି। କ୍ରିକେଟର୍ରୁ ରାଜନେତା ପାଲଟିଥିବା ସିଦ୍ଧୁ ନିକଟ ଅତୀତରେ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ସାରିଛନ୍ତି।
ଆଉ କିଛି ମାସ ପରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେବାକୁ ଥିବା କାରଣରୁ କଂଗ୍ରେସକୁ ଯଥାଶୀଘ୍ର ଏହି ପଦରେ ଜଣେ ଯୋଗ୍ୟ ପ୍ରାର୍ଥୀଙ୍କୁ ବସାଇବା ଆବଶ୍ୟକ। କଂଗ୍ରେସର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ଦଳ ଭାରତୀୟ ଜନତା ପାର୍ଟି ଓ ଆମ୍ ଆଦ୍ମୀ ପାର୍ଟି ନିର୍ବାଚନ ପ୍ରଚାର ଆରମ୍ଭ କରି ସାରିଲେଣି।
ଉଲ୍ଲେଖଯୋଗ୍ୟ, ସିଦ୍ଧୁଙ୍କ ପତ୍ନୀ ନଭଜୋତ୍ କୌରଙ୍କୁ ଲୋକସଭା ନିର୍ବାଚନ ୨୦୧୯ରେ ପଞ୍ଜାବରୁ ଟିକେଟ୍ ନମିଳିବା ନେଇ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ସହ ସିଦ୍ଧୁଙ୍କର ବିବାଦ ଆରମ୍ଭ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଅନ୍ଲାଇନ୍ ଇସ୍ତଫା ପତ୍ରକୁ ଅମ୍ରିନ୍ଦର ସିଂହ ଜୁଲାଇ ୨୦ ତାରିଖରେ ଗ୍ରହଣ କରିଛନ୍ତି।