ନବରଙ୍ଗପୁର,୧୪/୧ : ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରେ ଆୟୋଜିତ ଚାଷୀ ସମାବେଶରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ସରକାର ଅମଳରେ ନବରଙ୍ଗପୁର ଜିଲ୍ଲାରେ ଚିନି କାରାଖାନା ପାଇଁ ଜାଗା ଯୋଗାଇ ଦିଆଯାଇଥିଲା। ଆଜି ପର୍ଯ୍ୟନ୍ତ ଚିନି କଳ ହୋଇପାରିଲା ନାହିଁ। ବିଜେଡି ସରକାର ଗରିବ ଓ ଆଦିବାସୀଙ୍କ ଉନ୍ନତି ବଦଳରେ ଭୋଟ ପାଇଁ ଚିନ୍ତା କରୁଛନ୍ତି। କେନ୍ଦ୍ର ସରକାରକୁ ସମାଲୋଚନା କରି ସେ କହିଥିଲେ ଯେ, ଯୁଦ୍ଧ ବିମାନ କିଣା ରେ ୩୨ ହଜାର କୋଟି ଟଙ୍କାର ଦୁର୍ନିତି ହୋଇଥିବା କହିବା ସହ ଯଦି ହାଲରେ ଜାହାଜ ନିର୍ମାଣ ହୋଇଥାନ୍ତା ତେବେ ଅବିଭକ୍ତ କୋରାପୁଟ ଜିଲ୍ଳାରେ ବହୁ ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ ।
ରାଜ୍ୟର ୭୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି। ରାଜ୍ୟରେ ଅନୁସୂଚିିତ ଜାତି ଓ ଜନଜାତି ବର୍ଗର ସଂଖ୍ୟା ୪୦ ପ୍ରତିଶତ। ୬୫ ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। ୮୫ ଲକ୍ଷ ଯୁବକ, ଯୁବତୀ ବେକାର। ୬୦ଲକ୍ଷ ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ରାଜ୍ୟର ବିଭିନ୍ନ ବିଭାଗରେ ୧ଲକ୍ଷ ୩୧ହଜାର ଚାକିରି ଖାଲି ରହିଥିଲେ ହେଁ ପଞ୍ଜୀକରଣ କରିଥିବା ୩୫ଲକ୍ଷ ବେକାର ଯୁବକଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। କଂଗ୍ରେସ କ୍ଷମତାକୁ ଆସିଲେ ପ୍ରଥମେ କୃଷି ଋଣ ଛାଡ଼ କରିବ। ଝିଅଙ୍କ ଉଚ୍ଚ ଶିକ୍ଷା ସଂପୂର୍ଣ୍ଣ ମାଗଣା ହେବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ସମାବେଶରେ ପୂର୍ବତନ ସାଂସଦ ତଥା କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଯୋଗଦେଇ କହିଥିଲେ, ଛତିଶଗଡରେ କଂଗ୍ରେସ ସରକାର ଆସିବା ପରେ ଚାଷୀଙ୍କ ପାଇଁ ଋଣ ଛାଡ କରିଛି ସହ ଧାନର ସହାୟକ ମୂଲ୍ୟ ପାଇଁ ବୋନସ ଘୋଷଣା କରିଛନ୍ତି। ଚାଷୀଙ୍କ ପାଇଁ ରାଜ୍ୟରେ ନିରଂଜନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଓ ଦେଶରେ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ପଡିବ।
କଂଗ୍ରେସ ପ୍ରଭାରୀ ଅନିଲ ଚୌଧୁରୀ କହିଥିଲେ, ମୋଦୀ ଗରିବଙ୍କ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଏଥିରେ ଆନ୍ତରିକତା ନାହିଁ। ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାରକୁ ପରିବର୍ତ୍ତନ କରାଯିବା ଉଚିତ୍ ।