ଜୟପୁର, ୧/୧୨: କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକ୍କୁ ନେଇ ପୁଣି ଭାଜପା ସରକାରକୁ ଘେରିଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଉଦୟପୁରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି, ୨୦୧୬ରେ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ଏକ ରାଜନୈତିକ ସମ୍ପତ୍ତି ଭାବେ ନେଇ ପ୍ରଚାର କରୁଛି ଭାଜପା ।
ୟୁପିଏ ସରକାର ଅମଳରେ ୩ଥର ସର୍ଜିକାଲ ଷ୍ଟ୍ରାଇକ ହୋଇଥିଲା। କିନ୍ତୁ ଏନେଇ କୌଣସି ତଥ୍ୟ ପଦାକୁ ଆସି ନ ଥିଲା। କିନ୍ତୁ ମୋଦି ସରକାର ଅମଳରେ ମାତ୍ର ଗୋଟିଏ ସର୍ଜିକାଲ ଷ୍ଟାଇକ୍ ହୋଇଛି। ତାହାକୁ ପ୍ରଚାରପ୍ରସାର କରିବାରେ ଲାଗିପଡିଛନ୍ତି ସରକାର। ସେ ଅଭିଯୋଗ କରିଛନ୍ତି ଯେ, ୟୁପିଏ ସରକାର ଚାଲିଥିବାବେଳେ ଏନପିଏ ୨ ଲକ୍ଷ କୋଟି ଥିବାବେଳେ ମୋଦି ସରକାର ଆସିବାର ୪ ବର୍ଷ ଭିତରେ ଏହା ବଢି ୧୨ ଲକ୍ଷରେ ପହଞ୍ଚିଛି। ମୋଦି ସରକାର ବିଜୟ ମାଲ୍ୟାଙ୍କ ଭଳି ବ୍ୟବସାୟୀଙ୍କୁ କୋଟି କୋଟି ଋଣ ଦେଉଥିବାବେଳେ କିନ୍ତୁ ଯୁବକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବାରେ ବିଫଳ ଅଛନ୍ତି। ଏହାସହ ରାହୁଳ ବିମୁଦ୍ରିକରଣ ଓ ଜିଏସଟି ଲାଗୁ ହେବାକୁ ମଧ୍ୟ ସମାଲୋଚନା କରିଛନ୍ତି।