ଭୁବନେଶ୍ୱର,୨୩/୭: ରାଜ୍ୟରେ ବଢ଼ୁଥିବା ନାବାଳିକା ଦୁଷ୍କର୍ମ ଓ ନିଖୋଜ ଘଟଣାକୁ ନେଇ ଉଭୟ ବିରୋଧି ବିଜେପି ଓ କଂଗ୍ରେସ ହଙ୍ଗାମା କରିଛନ୍ତି । ସରକାର ଏ ପ୍ରସଙ୍ଗରେ ବିବୃତ୍ତି ରଖିବା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଛନ୍ତି । ଫଳରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।
ଆଜି ପ୍ରଶ୍ନକାଳ ଆରମ୍ଭରୁ ବାଚସ୍ପତି ପଞ୍ଚାୟତରାଜ ବିଭାଗକୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଉତ୍ତର ରଖୁଥିବା ବେଳେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାବାଳିକାଙ୍କ ପ୍ରତି ବଢ଼ୁଥିବା ଅପରାଧ ଭଳି ସଙ୍ଗୀନ ପ୍ରସଙ୍ଗ ପୁଣି ଥରେ ଦୋହରାଇ ଥିଲେ । ନାବାଳିକା ଦୁଷ୍କର୍ମ, ନିଖୋଜ, ହତ୍ୟା, ଅନୁଗୁଳ ଓ ଭବାନୀପାଟଣା ଘଟଣାରେ ଆଲୋଚନା ପାଇଁ ଦାବି କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି କରିବା ସହିତ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ଏ ସମସ୍ତ ଭିତରେ ପ୍ରଶ୍ନ କାଳ ଚାଳାଇବା ସମ୍ଭବ ହୋଇ ନ ଥିଲା । ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ଫଳରେ ପ୍ରଶ୍ନ କାଳ ମାତ୍ର 3 ମିନିଟ୍ ପର୍ଯ୍ୟନ୍ତ ଚାଲି ପାରିଥିଲା ।