ନିକିତା ବାପାଙ୍କ ଅଭିଯୋଗ : ନିକିତାଙ୍କୁ ଛାତରୁ ଠେଲି ଦେଇଥିଲେ ସ୍ୱାମୀ

0

କଟକ,୬/୧ : ଟେଲି ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଆସିଛି ନୂଆ ମୋଡ। ଥାନାରେ ଅଭିଯୋଗ କଲେ ନିକିତାଙ୍କ ବାପା, କହିଲେ ଛାତ ଉପରୁ ନିକିତାଙ୍କୁ ଠେଲି ଦେଇଥିଲେ ତାଙ୍କ ସ୍ୱାମୀ। ନିକିତାଙ୍କ ମୃତ୍ୟୁ ନେଇ ଚାଉଳିଆଗଂଜ ଥାନାରେ ନିକିତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ବାପା। କଟକ ଚାଉଳିଆଗଂଜ ଥାନା ପୁଲିସ ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଅଟକ ରଖିଛି । ନିକିତାଙ୍କ ମୃତ୍ୟୁ ନେଇ ତାଙ୍କୁ ପଚରାଉଚରା କରାଯାଉଛି ।

ନିକିତାଙ୍କ ମୃତ୍ୟୁ କେମିତି ହେଲା? ମୃତ୍ୟୁବେଳକୁ ଲିପନ ତାଙ୍କ ପାଖରେ ଥିଲେ କି? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା କି? ଯଦି ନିକିତା ଆତ୍ମହତ୍ୟା କରିଛନ୍ତି, ତେବେ ସ୍ୱାମୀ ଲିପନ ତାଙ୍କୁ ଉସୁକାଇଥିଲେ କି? ଏସବୁ ବାବଦରେ ପୋଲିସ, ତାଙ୍କୁ ପ୍ରଶ୍ନ କରୁଛି । ତେବେ ଏସବୁ ପ୍ରଶ୍ନର ଉତ୍ତର ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି ନିକିତାଙ୍କ ବାପା । ଘଟଣା ଦିନ ନିକିତାଙ୍କୁ ତାଙ୍କ ସ୍ୱାମୀ ଛାତ ଉପରକୁ ଡାକି ନେଇଥିଲେ । ଏପରିକି କିଛି ସମୟ ଛାତ ଉପରେ ପାଟିତୁଣ୍ଡ ହେବା ପରେ ଛାତ ଉପରୁ ଆର୍ତ୍ତ ଚିତ୍କାର ସହ ତଳେ ପଡିଥିଲେ ନିକିତା । ରକ୍ତ ଜୁଡୁବୁଡ ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନିକିତାଙ୍କ ବାପାଙ୍କ କହିବା ଅନୁଯାୟୀ, ବାହାଘରର ୭ ମାସ ପର୍ଯ୍ୟନ୍ତ ସବୁ କିଛି ଠିକଠାକ୍ ଥିଲା । କିନ୍ତୁ ଏହାପରେ ଶାଶୁଘର ଲୋକ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ସେବେଠାରୁ ସେ ଆମ ଘରେ ରହୁଥିଲା ବୋଲି କହିଛନ୍ତି ନିକିତାଙ୍କ ବାପା । ଏପରିକି ମଝିରେ ମଝିରେ ଲିପନ ତାଙ୍କୁ ଦେଖା କରିବାକୁ ଆସନ୍ତି ଓ ସେ ଭୁବନେଶ୍ୱରର ନିଜର ଏକ ଫ୍ଲାଟରେ ସାଙ୍ଗ ହୋଇ ରହୁଥିଲେ ବୋଲି କହିଛନ୍ତି ନିକିତାଙ୍କ ବାପା । ଏକାଧିକ ଆଲବମ୍, ଫିଲ୍ମ ଏବଂ ସିରିଏଲରେ ଅଭିନୟ କରିଥିବା ଲଷ୍ମୀପ୍ରିୟା ବେହେରା ଓରଫ ନିକିତାଙ୍କ ମୃତ୍ୟୁ ଶୁକ୍ରବାର ରାତିରେ ଛାତଉପରୁ ପଡି ହୋଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ନିକିତା ତାଙ୍କ ବାପ ଘରେ ଥିଲେ । ତେବେ ନିକିତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଥିଲା ।

Leave A Reply

Your email address will not be published.