ଭୁବନେଶ୍ୱର,୧୮/୨: ନୂଆରୂପ ନେବ ଭୁବନେଶ୍ୱରର ପଠାଣି ସାମନ୍ତ ପ୍ଲାନେଟାରିୟମ୍। ମହାକାଶ ବିଜ୍ଞାନ ଓ ଆଣବିକ ବିଜ୍ଞାନ ସମ୍ପର୍କିତ ଏକାଧିକ ନୂତନ ପ୍ରକଳ୍ପ ଏଠାରେ ଆରମ୍ଭ ହେବ। ସମ୍ପୂର୍ଣ୍ଣ ପ୍ଲାନେଟାରିୟମ୍କୁ ମହାକାଶ ଥିମ୍ରେ ସଜାଯିବ। ସେହିଭଳି ଆଗାମୀ ଦିନରେ ପ୍ଲାନେଟାରିୟମ୍ରେ ଏକ ନୂତନ ଅବଜର୍ଭେଟୋରି ସହ ‘ସ୍ପେସ୍ ସିମୁଲେଟର’, ‘ହଲ୍ ଅଫ୍ ନ୍ୟୁକ୍ଲିୟର ଏନର୍ଜି’ ଏବଂ ‘ସ୍ପେସ୍ ସାଇନ୍ସ ଗ୍ୟାଲେରି’ ଦେଖିବାକୁ ପାଇବେ ଦର୍ଶକ।
୧୯୯୦ରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ପ୍ଲାନେଟାରିୟମ୍ ଇତିମଧ୍ୟରେ ୨୯ବର୍ଷରେ ପଦାର୍ପଣ କରିଛି। ଏହା ଆଷ୍ଟ୍ରୋନୋମି, ଆଷ୍ଟ୍ରୋ ଫିଜିକ୍ସ ଏବଂ ସ୍ପେସ୍ ସାଇନ୍ସ ସମ୍ପର୍କରେ ଦର୍ଶକଙ୍କୁ ଜଣା ଅଜଣା ତଥ୍ୟ ପ୍ରଦାନ କରୁଛି। ପ୍ରଥମେ ଅପ୍ଟୋ-ମେକାନିକାଲ ସିଷ୍ଟମ୍ର ବ୍ୟବହାର କରି ଦୈନିକ ମହାକାଶ ସମ୍ପର୍କିତ ଶୋ’ର ଆୟୋଜନ କରୁଥିବା ଏହି ପ୍ଲାନେଟାରିୟମ୍ ୨୦୧୨ରୁ ଡିଜିଟାଲ ପ୍ଲାଟଫର୍ମରେ ପଦାର୍ପଣ କରିଛି। ଅତ୍ୟାଧୁନିକ ଡିଜିଟାଲ ଉପକରଣ ମାଧ୍ୟମରେ ଏହା ମହାକାଶର ଥ୍ରୀଡି ମୋଶନ ଇଫେକ୍ଟ ପ୍ରଦାନ କରୁଛି। ଏବେ ଏହାକୁ ଆଉପାଦେ ଆଗକୁ ନେବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ବ୍ଲ୍ୟୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଥିବା ବେଳେ ଆସନ୍ତା ୨ବର୍ଷ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ଲାନେଟାରିୟମ୍ ପରିସରସ୍ଥ ଆଷ୍ଟ୍ରୋନୋମି ପାର୍କର ନବୀକରଣ କରାଯିବ। ଭାଙ୍ଗିଯାଇଥିବା ସୂର୍ଯ୍ୟଘଡ଼ି ଓ ଗ୍ରହ ନକ୍ଷତ୍ରର ମଡେଲଗୁଡ଼ିକୁ ସଜଡାଯିବ ଏବଂ ନୂଆ ମଡେଲ ପ୍ରତିଷ୍ଠା କରାଯିବ। ଭାରତ ସରକାରଙ୍କ ଅଧୀନ ନ୍ୟାଶନାଲ ପ୍ରୋଜେକ୍ଟ କନ୍ଷ୍ଟ୍ରକ୍ସନ କର୍ପୋରେଶନ ଲିମିଟେଡ୍(ଏନ୍ପିସିସି) ଏହି ପାର୍କର ନିର୍ମାଣ କାର୍ଯ୍ୟ କରିବ। ଏଥିସହ ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମ ଚେୟାରରେ ବସିବା ଆକୃତିର ଜୀବନ୍ତ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯିବ।