ଭୁବନେଶ୍ୱର,୯/୧: ପଂଚଦଶ ଅର୍ଥ କମିଶନ ବୈଠକର ଆଜି ଦ୍ୱିତୀୟ ଦିନ । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ପଂଚଦଶ ଅର୍ଥ କମିଶନଙ୍କୁ ଦାବି ପତ୍ର ଦେବା ନେଇ ଅର୍ଥମନ୍ତ୍ରୀ ଶଶିଭୁଷଣ ବେହେରା ସୂଚନା ଦେଇଛନ୍ତି । ରାଜ୍ୟକୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଏବଂ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଇତ୍ୟାଦି ଦାବି କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଟ୍ୟାକ୍ସ ଡିଭୋଲ୍ୟୁସନକୁ ୪୨ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିବା, ୧୦ ବର୍ଷ ରାଜ୍ୟ ସହିଥିବା ଜିଏସଟି କ୍ଷତିର ଭରଣ କରିବା ଏବଂ କୋଇଲା ଖଣି ଅଂଚଳରୁ ଗ୍ରୀନ ଏନର୍ଜି ସେସ୍ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ପାଇଁ ୧୫ଶହ କୋଟି ଟଙ୍କା ଦାବି କେରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏତଦ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ବିଗତ ୧୯ ବର୍ଷର ଆର୍ଥିକ ପ୍ରଗତିର ତଥ୍ୟ ଉପସ୍ଥାପନ କରିଛନ୍ତି । ପୂର୍ବର ଏବଂ ବର୍ତମାନର ଓଡିଶା ମଧ୍ୟରେ ପ୍ରଭେଦ ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ପୂର୍ବରୁ ଦୁର୍ନିତୀରେ ବୁଡି ରହିଥିବା ରାଜ୍ୟ ଏବେ ଦୁର୍ନିତୀ ମୁକ୍ତ ହୋଇଛି । ଖାଦ୍ୟଶସ୍ୟ ଉତ୍ପାଦନରେ ବୃଦ୍ଧି ହୋଇଛି । ଗରୀବି ଦୂରୀକରଣ ହୋଇଛି । ସେ କେନ୍ଦ୍ରର ଅବହେଳା ମଧ୍ୟ ଦର୍ଶାଇଛନ୍ତି । ନବୀନ କହିଛନ୍ତି କି, ଶିଳ୍ପ କରିଡର, କୋଇଲା ରୟାଲିଟି ପ୍ରତି ଅଣଦେଖା କରାଯାଇଛି । କେବିକେ ଅନୁଦାନ ହ୍ରାସ କରାଯାଇଛି । ବ୍ୟାଙ୍କଙ୍ଗ, ରେଳରେ ଓଡିଶା ପ୍ରତି ଅବହେଳା କରାଯାଇଛି । ଚତୁର୍ଦ୍ଦଶ ଅର୍ଥ କମିଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ହୋଇଥିବା ଅର୍ଥ ସଂପୂର୍ଣ୍ଣ ଭାବରେ ମିଳି ନ ଥିବା ନେଇ ଆଜି ସରକାର ଦାବି କରିଛନ୍ତି । କେନ୍ଦ୍ର ସରକାର ୮ ଟି ଯୋଜନା ବନ୍ଦ କରି ଦେଇଥିବାବେଳେ ରାଜ୍ୟ ସରକାରଙ୍କର ୧୭ଶହ କୋଟି ଟଙ୍କାର କ୍ଷତି ହୋଇଥିଲା ।