ନୂଆଦିଲ୍ଲୀ, ୧୫/୧୧ : ଜୈସ-ଏ-ମୋହମ୍ମଦର ୬-୭ ଜଣ ଆତଙ୍କବାଦୀ ପଞ୍ଜାବରେ ଅନୁପ୍ରବେଶ କରିଥିବା ପଞ୍ଜାବ ପୋଲିସ ଇଣ୍ଟେଲିଜେନ୍ସ ପକ୍ଷରୁ ସୁଚନା ମିଳିଛି । ସେମାନେ ପଞ୍ଜାବର ଫିରୋଜପୁର ନିକଟରେ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଏହାକୁ ଆଖିରେ ରଖି ରାଜ୍ୟରେ ହାଇ ଆଲର୍ଟ ଜାରୀ କରାଯାଇଛି । ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଖୁବ୍ ସତର୍କତାର ସହ ତଦନ୍ତ ଜାରି ରହିଛି । ପଞ୍ଜାବର ଫିରୋଜପୁର ଜିଲ୍ଲା ପାକିସ୍ତାନର ସୀମାକୁ ଲାଗି ରହିଥିବାରୁ ସେମାନେ ଏହି ରାସ୍ତା ଦେଇ ରାଜ୍ୟରେ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି । ସେମାନେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବାକୁ ପ୍ରୟାସ କରୁଥିବା ସୁଚନା ମିଳିଛି । ତେବେ ଦିଲ୍ଲୀରେ ସେମାନେ କୌଣସି ପ୍ରକାର ଆକ୍ରମଣର ଷଡଯନ୍ତ୍ର କରିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଦିଲ୍ଲୀ ପହଁଚି ନପାରିଲେ ପଞ୍ଜାବରେ ହିଁ ସେମାନେ ଆତଙ୍କ ସୃଷ୍ଟି କରିପାରନ୍ତି ବୋଲି କୁହାଯାଉଛି । ତେବେ ସୁରକ୍ଷା ଏଜେନ୍ସି ଦ୍ୱାରା ଫିରୋଜପୁର ଇଲାକାକୁ ଘେରାବନ୍ଦୀ କରାଯାଇଥିବା ସୁଚନା ମିଳିଛି ।