ପୁରୁଷୋତ୍ତମ ପ୍ରଭୁ ରାମ ଚନ୍ଦ୍ରଙ୍କର ପରମ ଭକ୍ତ ହେଉଛନ୍ତି ପବନ ପୁତ୍ର ବୀର ହନୁମାନ । ହନୁମାନଙ୍କ ଭକ୍ତି ପାଇଁ ତାଙ୍କୁ ଅଷ୍ଟସିଦ୍ଧୀ ଓ ନବନିଦ୍ଧୀର ବର ପ୍ରାପ୍ତ ହୋଇଛି । ବର ପ୍ରାପ୍ତି ଯୋଗୁଁ ହନୁମାନ କଳିଯୁଗରେ ତାଙ୍କ ଉପାସକମାନଙ୍କ କଲ୍ୟାଣ କରିବେ। ତେଣୁ କୁହାଯାଏ ଯେ ଏହି କଳିଯୁଗରେ ଯଦି ଭକ୍ତମାନେ ହନୁମାନଙ୍କ ଅନ୍ୟ ବାରଗୋଟି ନାମର ଜପ କରି ଆରଧନା କରିବେ ତେବେ ଭକ୍ତଙ୍କର ସବୁ ଦୁଃଖ କଷ୍ଟ ଲାଘବ ହୋଇଯିବ । ତେବେ ଚାଳନ୍ତୁ ଜାଣିବା ଭଗବାନ ହନୁମାନଙ୍କର ସେହି ବାରଗୋଟି ନାମ ବିଷୟରେ ।
ହନୁମାନ: ଇନ୍ଦ୍ରଙ୍କ ବଜ୍ରରେ ହନୁମାନଙ୍କ ଥୋଡି ବା ହନୁ ଭାଙ୍ଗି ଯାଇଥିଲା ଯାହା ଫଳରେ ସେ ଘଟଣା ପରଠାରୁ ତାଙ୍କ ନାମ ହନୁମାନ ରଖାଗଲା ।
ଅଂଜନିସୁତ: ହନୁମାନଙ୍କ ମା’ଙ୍କ ନାମ ଅଂଜନି ହୋଇଥିବା କାରଣରୁ ହନୁମାନଙ୍କୁ କେହି କେହି ଅଂଜନିସୁତ ବୋଲି ଡାକନ୍ତି ।
ବାୟୁପୁତ୍ର: ବାୟୁ ଦେବତା ପବନଦେବଙ୍କ ଆର୍ଶୀବାଦରୁ ଅଂଜନି ଗର୍ଭ ଧାରଣ କରି ହନୁମାନଙ୍କୁ ଜନ୍ମ ଦେଇଥିଲେ ଯାହା ପାଇଁ ତାଙ୍କୁ ବାୟୁ ପୁତ୍ର ବୋଲି କୁହାଯାଏ ।
ମହାବଲ: ଶ୍ରୀ ହନୁମାନ ମହାବଳଶାଳୀ ଅଟନ୍ତି ତେଣୁ ତାଙ୍କୁ ମହାବଲ ନାମରେ ମଧ୍ୟ ଜଣାଯାଏ ।
ରାମେଷ୍ଟ: ରାମଙ୍କର ଅତିପ୍ରିୟ ହେବା କାରଣରୁ ହନୁମାନଙ୍କୁ ରାମେଷ୍ଟ ବୋଲି କୁହାଯାଏ ।
ଫାଲ୍ଗୁନସଖା: ଅର୍ଜୁନଙ୍କ ଅନ୍ୟନାମ ଫାଲ୍ଗୁନ ଅଟେ । ହନୁମାନ ଫାଲ୍ଗୁନଙ୍କର ପ୍ରିୟ ମିତ୍ର ହୋଇଥିବାରୁ ହନୁମାନ ଫାଲ୍ଗୁନସଖା ଭାବେ ପରିଚିତ ।
ପିଙ୍ଗାକ୍ଷ: ହନୁମାନଙ୍କ ଆଖିର ରଙ୍ଗ ମାଟିଆ ହେବା କାରଣରୁ ତାଙ୍କୁ ପିଙ୍ଗାକ୍ଷ ବୋଲି ଡକାଯାଏ ।
ଅମିତବିକ୍ରମ: ସବୁକାମେରେ ବିଜୟ ହାସଳ କରୁଥିବାରୁ ହନୁମାନଙ୍କୁ ଅମିତବିକ୍ରମ ବୋଲି ଡକାଯାଏ ।
ଉଦଧିକ୍ରମଣ: ମା’ ସୀତାଙ୍କୁ ଖୋଜିବା ପାଇଁ ହନୁମାନ ଅକାତ ସମୁଦ୍ର ଲଙ୍ଘନ କରିଥିଲେ ଯାହା ପାଇଁ ତାଙ୍କୁ ଉଦଧିକ୍ରମଣ ବୋଲି କିଛି ଭକ୍ତ ଡାକନ୍ତି ।
ସୀତାଶୋକ ବିନାଶକ: ଅଶୋକ ବାଟିକାରେ ବନ୍ଦିଥିବା ସୀତାଙ୍କ ସମସ୍ତ ଦୁଃଖକୁ ବିନାଶ କରିଥିବା ହନୁମାନଙ୍କ ଅନ୍ୟନାମ ହେଉଛି ସୀତାଶୋକ ବିନାଶକ ।
ଲକ୍ଷ୍ମଣପ୍ରାଣଦାତା: ଲକ୍ଷ୍ମଣଙ୍କ ଜୀବନ ରକ୍ଷା ପାଇଁ ହନୁମାନ ସଂଜିବନୀ ବୃକ୍ଷର ସନ୍ଧାନ କରି, ସମ୍ପୂର୍ଣ୍ଣ ପର୍ବତ ଉଠାଇ ଆଣିଥିଲେ ତେଣୁ ହନୁମାନଙ୍କୁ ଲକ୍ଷ୍ମଣ ପ୍ରାଣଦାତା ବୋଲି କୁହାଯାଏ ।
ଦଶଗ୍ରୀବ ଦର୍ପହା: ରାବଣର ଅହଂକାରକୁ ଭାଙ୍ଗି ଥିବା ହନୁମାନଙ୍କୁ ଦଶଗ୍ରୀବ ଦର୍ପହା ବୋଲି କିଛି ଭକ୍ତ ସ୍ମରଣ କରନ୍ତି ।
Prev Post
Next Post