ପୁରୀ,୧୬/୫ : ୭୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ପୁରୀ ମାଳତୀପାଟପୁର ବସ୍ଷ୍ଟାଣ୍ଡ ସୂତା ଖିଅ ପରି ଉଡ଼ିଗଲା। ବିଧ୍ବଂସକାରୀ ବାତ୍ୟା ‘ଫନି ମାଡ଼ରେ ଛପରଠାରୁ ସିଲିଂ, ଫ୍ୟାନ୍ଠାରୁ ସିସିଟିଭି, ଆଲୋକଠାରୁ ଯାତ୍ରୀ ବିଶ୍ରାମାଗାର ସବୁ କିଛି ଉଡ଼ାଇ ନେଇଗଲା। ପୂରାପୂରି ଲଣ୍ଡା କରିଦେଲା ରାଜ୍ୟର ଏହି ଅତ୍ୟାଧୁନିକ ବସ୍ଷ୍ଟାଣ୍ଡକୁ। ଏବେ କେବଳ କଙ୍କାଳ ପଡ଼ିଛି। ବସ୍ଷ୍ଟାଣ୍ଡର ନବକଳେବର ପାଇଁ ଅନ୍ୟୂନ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ିଛି।
ପର୍ଯ୍ୟଟନ କ୍ଷେତ୍ର ପୁରୀ ପାଇଁ ତିଆରି ହୋଇଥିଲା ଏହି ବିଶ୍ବସ୍ତରୀୟ ବସ୍ଷ୍ଟାଣ୍ଡ। ପାଖପାଖି ୫ ଶହ ବସ୍ ରହିବା ଭଳି ବ୍ୟବସ୍ଥା। ଯାତ୍ରୀଙ୍କ ପ୍ରବେଶ, ବିଶ୍ରାମ, ପ୍ରସ୍ଥାନ ସବୁ ପାଇଁ ଥିଲା ଉଚ୍ଚକୋଟିର ବ୍ୟବସ୍ଥା। ଆଇଆଇଟି ରୁର୍କୀ ଏହାର ଡିଜାଇନ୍ କରିଥିଲା। ୭୨ କୋଟି ଟଙ୍କାରେ ନିର୍ମିତ ଏହି ବସ୍ଷ୍ଟାଣ୍ଡରେ ସୁରକ୍ଷା ପାଇଁ ଥିଲା ଅନେକ ବ୍ୟବସ୍ଥା। ବସଷ୍ଟାଣ୍ଡ ଉପରେ ନଜର ରଖିଥିଲା ୫୫ଟି ସିସିଟିଭି କ୍ୟାମେରା। ଯାତ୍ରୀଙ୍କ ବସିବା ପାଇଁ ଥିଲା ଆରାମଦାୟକ ସିଟ୍। କାରୁକାର୍ଯ୍ୟପୂର୍ଣ୍ଣ ଚିତ୍ରକଳା ସ୍ଥାନୀତ ସାଙ୍ଗକୁ ଉନ୍ନତ ମାନର ସିଲିଂ ବି ହୋଇଥିଲା। ଦେଖିଲା ଭଳି କାମ ହୋଇଥିଲା ଏହି ବସ୍ଷ୍ଟାଣ୍ଡରେ। ସବୁ ପରେ ପଡ଼ିଥିଲା ଟିଣ ଛପର। ପୁରୀ ବାତ୍ୟା ପ୍ରଭାବିତ ଅଞ୍ଚଳ। ଏଠାରେ ବହୁ କୋଟିର ବସ୍ଷ୍ଟାଣ୍ଡ ଛାତ ଟିଣରେ କରାଯିବା ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଯାହା ଏବେ ସତ ହୋଇଛି। ଗୋଟିଏ ବାତ୍ୟା ବି ସମ୍ଭାଳି ପାରିଲାନି ବସ୍ଷ୍ଟାଣ୍ଡ। ସୂତା ଖିଅ ପରି ଉଡ଼ିଗଲା ପୂରା ଛପର।
୨୦୧୫ ଜୁନ୍ ୪ ତାରିଖରେ ଏହି ବସଷ୍ଟାଣ୍ଡକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପୁରୀର ମୁଖ୍ୟ ବସ୍ଷ୍ଟାଣ୍ଡ ହେବ ବୋଲି ଧାର୍ଯ୍ୟ ହୋଇଥିଲା। ମାତ୍ର ବିରୋଧ ହେବାରୁ ତାହା ଟୁରିଷ୍ଟ ବସ୍ଷ୍ଟାଣ୍ଡ ହେଲା। ମେ ୩ ତାରିଖରେ ଆସିଲା ବାତ୍ୟା ‘ଫନି’। ବସ୍ଷ୍ଟାଣ୍ଡକୁ ଖିନ୍ଭିନ୍ କରିଦେଲା। ଏଠାରେ ଲାଗିଥିବା ୫୫ଟି ସିସିଟିଭିକୁ କଚାଡ଼ି ଭାଙ୍ଗିବା ସହ ୧୨୮ଟି ଫ୍ୟାନ୍କୁ ମୋଡ଼ି ଦେଲା। ୪ଟି ହାଇମାଷ୍ଟ ଲାଇଟ୍କୁ ଉପାଡ଼ି ଫିଙ୍ଗିଲା। ବସଷ୍ଟାଣ୍ଡ ଭିତରେ ଲାଗିଥିବା ସିଲିଂ ବି ଛାରଖାର। ଏବେ ବସ୍ଷ୍ଟାଣ୍ଡ ଶ୍ରୀହୀନ ହୋଇପଡ଼ିଛି। ଏହାର ମରାମତି ପାଇଁ ପ୍ରାଥମିକ ଆକଳନ କରିଛି ପରିବହନ ବିଭାଗ। ୬.୧୪ କୋଟି ଟଙ୍କା ଲାଗିବ ବୋଲି କୁହାଯାଉଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ପୂର୍ତ୍ତ ବିଭାଗ, ଆଇଆଇଟି ରୁରକୀ ଟିମ୍ର ଆକଳନ ଅନୁଯାୟୀ ଏହାର ନବକଳେବର ପାଇଁ ପାଖପାଖି ୧୦ କୋଟି ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଏ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହେବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।