କୋଲକାତା, ୧୬/୧: ସୁପ୍ରିମକୋର୍ଟ ପଶ୍ଚିମବଙ୍ଗରେ ପ୍ରସ୍ତାବିତ ରଥ ଯାତ୍ରାକୁ ଅନୁମତି ନଦେବା ପରେ ବିଜେପି ଏବେ ବିକଳ୍ପ ରୂପେ ରାଜ୍ୟସାରା ଜନସଭା ଆୟୋଜନ କରିବ। ନୂତନ ପ୍ଲାନ ମୁତାବକ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ପଶ୍ଚିମବଙ୍ଗରେ ୫ ଜନସଭାକୁ ସମ୍ବୋଧିତ କରିବେ। ଏହାର ଆରମ୍ଭ ଜାନୁଆରୀ ୨୦ରେ ହେବ। ଏହା ପୂର୍ବରୁ ଜାନୁଆରୀ ୧୯ରେ ମମତା ବାନାର୍ଜୀ ସମସ୍ତ ବିରୋଧୀ ଦଳକୁ ନେଇ ମେଗା ରାଲି କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଜାନୁଆରୀ ୨୦ରେ ମାଲଦା ଜିଲ୍ଲାରୁ ରାଲିର ଶୁଭାରମ୍ଭ କରିବେ। ଏହାର ପରବର୍ତ୍ତୀ ଦିନ ଜାନୁଆରୀ ୨୧ରେ ବୀରଭୂମର ସୁରିରେ ଶାହା ଜନସଭାକୁ ସମ୍ବୋଧିତ କରିବେ। ସେହି ଦିନ ପଡୋଶୀ ଜିଲ୍ଲା ଝାରଗ୍ରାମରେ ସେ ରାଲି କରିବେ। ଏହି ପରି ଜାନୁଆରୀ ୨୨ରେ ସେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଜୟନଗରରେ ପାର୍ଟି କାର୍ୟ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବେ। ସେହି ଦିନ ନାଦିଆ ଜିଲ୍ଲାର କୃଷ୍ଣାନଗରରେ ମଧ୍ୟ ଅମିତ୍ ଶାହା ରାଲିକୁ ସମ୍ବୋଧିତ କରିବେ। ବିଜେପି ପ୍ରଦେଶ ଅଧ୍ୟକ୍ଷ ଦିଲୀପ ଘୋଷ ବୁଧବାର କହିଛନ୍ତି ଯେ କୋର୍ଟ ଆମ ଯାତ୍ରାକୁ ବିରୋଧ କରିବାରୁ ଏବେ ଗଣତନ୍ତ୍ର ବଚାଓ ସଭାର ଆୟୋଜନ କରାଯିବ।