ନୂଆଦିଲ୍ଲୀ,୧୫/୧: ପଶ୍ଚିମବଙ୍ଗରେ ବିଜେପିର ରଥଯାତ୍ରା ଆୟୋଜନ ଯୋଜନାକୁ ସୁପ୍ରିମକୋର୍ଟରୁ ଲାଗିଛି ଜୋରଦାର ଝଟକା। କୋର୍ଟ ମଙ୍ଗଳବାର ବିଜେପିର ରଥଯାତ୍ରାକୁ ମଞ୍ଜୁରୀ ଦେବାକୁ ମନା କରି ଦେଇଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ କହିଛି ଯେ ବିଜେପିର ରାଜ୍ୟ ୟୁନିଟ୍ ରାଜନୈତିକ ବୈଠକ ଓ ରାଲି କରି ପାରିବେ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ବିଜେପି ରଥଯାତ୍ରା ପାଇଁ ଯଦି ନୁତନ ଯୋଜନା କରେ ତେବେ ଏହା ଉପରେ ଜରୁର ବିଚାର କରାଯାଇ ପାରେ।
ସୁପ୍ରିମକୋର୍ଟ ମଙ୍ଗଳବାର କହିଛି ଯେ ଏହାକୁ ଅସ୍ଵୀକାର କରାଯାଇ ପାରିବ ନାହିଁ ଯେ ରଥଯାତ୍ରାରେ ସୌହାର୍ଦ୍ଦ୍ୟ ବିଗିଡ଼ିବ। କୋର୍ଟ ବିଜେପିର ରଥାଯାତ୍ରାକୁ ନେଇ ଏକ ନୂତନ କାର୍ଯ୍ୟସୂଚୀ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ କହିଛି ଯେ ରାଜ୍ୟ ସରକାର ବିଜେପିର ନୁତନ ଯାତ୍ରାର କାର୍ଯ୍ୟକ୍ରମ ଉପରେ ସାମ୍ବିଧାନିକ ନିୟମକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଅନ୍ତୁ ଯଦ୍ଵାରା ଏହାର ମୌଳିକ ଅଧିକାର ଯେମିତି କ୍ଷୂର୍ଣ୍ଣ ନହୁଏ।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ବିଜେପିର ରଥଯାତ୍ରାକୁ ଏହା କହି ମଞ୍ଜୁରୀ ଦେବାକୁ ମନା କରି ଦେଇଥିଲେ ଯେ ଏଥିରେ ରାଜ୍ୟରେ ସୌହାର୍ଦ୍ଦ୍ୟ ବିଗିଡ଼ିବ। ପରେ ବିଜେପି ଏହି ନିଷ୍ପତ୍ତିକୁ କଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ହାଇକୋର୍ଟର ଏକ ଜଣିଆ ଖଣ୍ଡପୀଠ ରଥଯାତ୍ରାକୁ ମଞ୍ଜୁରୀ ଦେଇଥିଲେ, ମାତ୍ର ଡିଭିଜନ ଖଣ୍ଡପୀଠ ରଥଯାତ୍ରାକୁ ମଞ୍ଜୁରୀ ଦେବାକୁ ମନା କରି ଦେଇଥିଲେ। ହାଇକୋର୍ଟର ଏହି ନିଷ୍ପତ୍ତିକୁ ବିଜେପି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।