ଭୁବନେଶ୍ୱର,୧୮/୭: ପାଟକୁରା ନିର୍ବାଚନ ପାଇଁ ବାକି ରହିଲା ଆଉ ମାତ୍ର ଦିନଟିଏ । ଆଜି ହେଉଛି ପ୍ରଚାରର ଅନ୍ତିମ ଦିନ। ଫଳରେ ରାଜ୍ୟର ତିନି ପ୍ରମୁଖ ଦଳଗୁଡିକର ନେତାଙ୍କ ଗହଳି ପାଟକୁରାରେ ଲାଗିଛି। ବିଶେଷ କରି ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ହେଉଛି। ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଏବେ ସ୍ଵାଭିମାନ ପ୍ରଶ୍ନ ହୋଇ ରହିଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଏବଂ ବିଜେଡ଼ି ପ୍ରାର୍ଥି ସାବିତ୍ରୀ ଅଗ୍ରଓ୍ଵାଲଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦୀତ ଲାରି ରହିଛି। ମଇଦାନରେ ହାଇ ପ୍ରୋଫାଇଲ ନେତାଙ୍କ ପ୍ରଚାର ପୂରା ପାଟକୁରାକୁ ସରଗରମ କରିଛି। ପାଟକୁରା ବିଧାନସଭା ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନୀ ଅଧିକାରୀ ପ୍ରସ୍ତୁତି ଜୋରଦାର କରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ମତଦାନ ଆସନ୍ତା ୨୦ରେ ହେବ । ଭୋଟ ଗଣତି ହୋଇ ଏହାର ଫଳାଫଳ ଜୁଲାଇ ୨୪ରେ ଆସିବ । ତେଣୁ କୈାଣସି ବୁଥରେ ସାନି ମତଦାନ ହେଲେ ଅନାମିକା ଆଙ୍ଗୁଳିରେ କାଳି ଲଗାଯିବା ନିୟମ ରହିଛି । ତେଣୁ ପାଟକୁରାରେ ମତଦାନ ବେଳେ ଭୋଟରଙ୍କ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।
ପାଟକୁରାର ୧୩୮ଟି ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ମୋଟ୍ ୨ଲକ୍ଷ ୪୭ ହଜାର ୭୪୭ ଜଣ ଭୋଟର ଆସନ୍ତା ୨୦ରେ ମତଦାନ କରିବେ । ସେଥିମଧ୍ୟରୁ ୧ଲକ୍ଷ ୨୭ ହଜାର ୪୩୧ ଜଣ ପୁରୁଷ, ୧ ଲକ୍ଷ ୭ ହଜାର ୩୦୬ ଜଣ ମହିଳା ଏବଂ ୧୦ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ମୋଟ୍ ୧୦ ଜଣ ପ୍ରାର୍ଥୀ ଏହି ପାଟକୁରା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେଥିମଧ୍ୟରୁ ୯ ଜଣ ପୁରୁଷ ଏବଂ ଜଣେ ମହିଳା ପ୍ରାର୍ଥୀ ରହିଛନ୍ତି । ଯେଉଁଠି ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ।
ପାଟକୁରା ନିର୍ବାଚନ ମତଦାନ ପାଇଁ ୩୦୯ଟି ବୁଥର ବ୍ୟବସ୍ଥା କରାଯାଇଛି। ଓ ପ୍ରିଜାଇଡ଼ଂ ଅଫିସର ନିୟୋଜିତ ହୋଇଛନ୍ତି । ପ୍ରତି ବୁଥ ପାଇଁ ଜଣେ ପ୍ରିଜାଇଡ଼ିଂ ଓ ୪ଜଣ ପୋଲିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ମତଦାନ ପାଇଁ ପାଟକୁରାର ବିଭିନ୍ନ ବୁଥକୁ ଇଭିଏମ ପଠା କାର୍ଯ୍ୟ ଆରମ୍ଭ ହୋଇଛି । ଏହାସହ କର୍ମଚାରୀଙ୍କୁ ମଧ୍ୟ ନିଜ ନିଜ ବୁଥକୁ ପଠାଯାଇଛି ।
ସୂଚନାଯୋଗ୍ୟ ଯେ, ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ କାରଣରୁ ମତଦାନ ସ୍ଥଗିତ ରହିଥିଲା । ପରେ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଫୋନି ପାଇଁ ପରିବର୍ତ୍ତନ କରାଯାଇ ଜୁଲାଇ ୨୦କୁ ଘୁଂଚାଯାଇଥିଲା। ମଇଦାନରେ ବର୍ତ୍ତମାନ ବିଜେଡି ପ୍ରାର୍ଥୀ ତଥା ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ଭାବେ ସାବିତ୍ରୀ ଅଗ୍ରୱାଲ,ବିଜେପି ପକ୍ଷରୁ ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କଂଗ୍ରେସ ପକ୍ଷରୁ ଜୟନ୍ତ ଷଡ଼ଙ୍ଗୀ ଅଛନ୍ତି।