ଭୁବନେଶ୍ୱର,୧୧/୬: ପାଟକୁରା ବିଧାନସଭା ଆସନ ଦଖଲ ପାଇଁ ବିଜେଡି ପ୍ରସ୍ତୁତ କଲା ତାର ରଣକୌଶଳ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ବିଧାନସଭା ଭିତରକୁ ଆସିବାକୁ ଦିଆଯିବ ନାହିଁ । ଏଭଳି ଏକ ଲକ୍ଷ୍ୟ ରଖି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରଣନୀତି ନିର୍ଦ୍ଧାରଣ କରିଛନ୍ତି । ଯେଉଁଥିରେ ଯେକୌଣସି ମୁହୂର୍ତ୍ତରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ଥିବାରୁ ଦଳୀୟ ନେତାମାନଙ୍କୁ ବିଭିନ୍ନ ଦାୟିତ୍ୱ ସେ ବଣ୍ଟନ କରିଛନ୍ତି । ମନ୍ତ୍ରୀମାନଙ୍କୁ ଗଡ଼ ଜଗିବା ପାଇଁ ନିୟୋଜିତ କରାଯାଇଛି । ବିଜେପି ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇବାକୁ ହକଦାର ହୋଇଥିବାରୁ ବିଜୟ ଯଦି ଜିତିକି ଆସିବେ ତେବେ ସେ ବିରୋଧୀ ଦଳ ନେତା ହେବା ସମ୍ଭାବନା ଅଧିକ । ଏଣୁ ବିଜେଡି ପାଇଁ ଏହା ବହୁ ସମସ୍ୟା ବିଧାନସଭାରେ ସୃଷ୍ଟି କରିବ । ସେଥିପାଇଁ ନବୀନ ଆଗୁଆ ସତର୍କତା ଅବଲମ୍ବନ କରିଥିବା କଥା କୁହାଯାଉଛି ।
ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ବିୟୋଗ ଓ ପରେ ବାତ୍ୟା ଫନୀ ପାଇଁ ପାଟକୁରା ବିଧାନସଭା ନିର୍ବାଚନ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ନିର୍ବାଚନ କମିଶନ ଫନି ପାଇଁ ଦୁଇମାସ ନିର୍ବାଚନ ଘୁଞ୍ଚାଇଛନ୍ତି । ଏବେ ପରିସ୍ଥିତି ସ୍ୱଭାବିକ ହୋଇ ସାରିଥିବାରୁ ଯେକୌଣସି ସମୟରେ ନିର୍ବାଚନ ଘୋଷଣା ହୋଇପାରେ । ଅନ୍ୟ ପଟରେ ବିଜେପୁର ବିଧାନସଭା ଆସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାଡ଼ି ସାରିିଥିବାରୁ ସେଠାରେ ମଧ୍ୟ ଉପ-ନିର୍ବାଚନ ହେବ । କିନ୍ତୁ ପାଟକୁରା ପାଇଁ ବିଜେଡି ଅଧିକ ଚିନ୍ତିତ । ଯାହା ବିଜେଡି ନେତାମାନଙ୍କ ପକ୍ଷରୁ ସୂଚନା ମିଳୁଛି ସେଥିରେ ମନ୍ତ୍ରୀମାନଙ୍କୁ ସିଧାସଳଖ ବିଭିନ୍ନ ଅଞ୍ଚଳର ଦାୟିତ୍ୱ ଦିଆଯାଇଛି । ଦଳୀୟ ନେତାମାନେ ବି ଦାୟିତ୍ୱରେ ରହିବେ । ଗରଦପୁର ବ୍ଲକ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂଯୋକ ଭାବେ ରହିଛନ୍ତି । ମନ୍ତ୍ରୀ ଅରୁଣ ସାହୁ ଓ ସାଧାରଣ ଦଳର ସମ୍ପାଦକ ସଞ୍ଜୟ ଦାସବର୍ମାଙ୍କୁ ଡେରାବିଶ ବ୍ଲକ ଦାୟିତ୍ୱ ଦିଆଯାଇଛି । ଉଭୟ ବ୍ଲକର କାର୍ଯ୍ୟ ତଦାରଖ ଦାୟିତ୍ୱରେ ରହିବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ । କେବଳ ବ୍ଲକ ନୁହେଁ ମନ୍ତ୍ରୀମାନଙ୍କୁ ପଞ୍ଚାୟତ ଦାୟିତ୍ୱରେ ମଧ୍ୟ ରଖାଯାଇଛି । ମାର୍ଶାଘାଇର ୭ଟି ପଞ୍ଚାୟତ ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏଥିସହ ୨ଟି ପଞ୍ଚାୟତ ପାଇଁ ଜଣେ ଲେଖାଏଁ ବିଧାୟକ ଓ ଦଳୀୟ ନେତା ମଧ୍ୟ ଜଗିବେ । ଏହିପରି ବିଭିନ୍ନ ପଞ୍ଚାୟତ, ବ୍ଲକ ଦାୟିତ୍ୱ ଦଳପକ୍ଷରୁ ବଣ୍ଟନ କରାଯାଇଛି । ତୁରନ୍ତ ଯାଇ ସେଠାରେ ନିଜ ନିଜର ଲୋକଙ୍କ ସହ ସମ୍ପର୍କ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରି ଦାୟିତ୍ୱରେ ରହିବାକୁ କୁହାଯାଇଛି ।
ବିଜେଡି ପାଇଁ ପାଟକୁରା ଏତେ ଗୁରୁତ୍ୱପୂର୍ଣ୍ଣ ହୋଇ ରହି ନ ଥାନ୍ତା ଯଦି ବିଜେପି ବିଧାନସଭାରେ ବିରୋଧୀ ଦଳ ମାନ୍ୟତା ପାଇବାର ନ ଥାନ୍ତା । ବିଜେପିର ଯେଉଁ ୨୩ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି ସେଥିରେ ଯଦି ବିଜୟ ଚାଲି ଆସନ୍ତି ତେବେ ସେ ହିଁ ବିଧାୟକ ଦଳ ତଥା ବିରୋଧୀ ଦଳ ନେତାହେବେ । ବିଜୟଙ୍କ ରାଜନୈତିକ ଗୋଟିଚାଳନା ବିଜେଡି ପାଇଁ ବଡ଼ ସମସ୍ୟା ଆଣିବ । କଂଗ୍ରେସରେ ନରସିଂହ ମିଶ୍ର ବିଧାୟକ ଭାବେ ପୁଣି ଜିତିକି ଆସି ସାରିଛନ୍ତି । ନରସିଂହ ଓ ବିଜୟ ଯଦି ବିରୋଧୀ ପକ୍ଷରେ ରହିଯିବେ ଦୁହିଁଙ୍କ ରାଜନୈତିକ ଗୋଟିଚାଳନାରେ ବିଜେଡି ବିଧାନସଭାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିବ । ସେଥିପାଇଁ ଯେକୌଣସି ଉପାୟରେ ହେଉ ବିଜୟଙ୍କ ବାଟ ରୋକିବା ଲାଗି ନବୀନ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି । ସେଥିପାଇଁ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ।