ପାଟଣାଗଡ ପାର୍ସଲ ବୋମା ମାମଲା : ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

0

ବଲାଙ୍ଗୀର,୩୧/୧: ବଲାଙ୍ଗୀର ପାଟଣାଗଡର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଜି କ୍ରାଇମବ୍ରାଂଚ ଫାଇନାଲ ଚାର୍ଜସିଟ ଦାଖଲ କରିଛି । ମୋଟ 376 ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ପ୍ରାୟ ୬୭ ଜଣ ସାକ୍ଷୀ ରହିଛନ୍ତି । ପାଟଣାଗଡ କୋର୍ଟରେ ଚାର୍ଜସିଟ ଦାଖଲ କରିଛନ୍ତି ମାମଲାର ତଦନ୍ତଭାର ନେଇଥିବା ଅନୀଲ ଦାସ ।

ଚାର୍ଜସିଟରେ ସାଇଂଟିଫିକ ଟିମର ଯାଂଚ ରିପୋର୍ଟ, ଗୁଜୁରାଟ ଗାନ୍ଧୀନଗର ଯାଇଥିବା କେମିକାଲ ଏକ୍ସପୋର୍ଟ ମାନଙ୍କ ରିପୋର୍ଟ ଓ ଫୋରେନସିକ ଟିମର ସାକ୍ଷ୍ୟ ରହିଛି । ଏହା ସହିତ ଦୁଇ କୋରିଅର୍‌ କମ୍ପାନୀ ମାଲିକ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଟିଆଇ ପରେଡ୍‌ ବେଳେ ଚିହ୍ନିଥିବା ଉଲ୍ଲେଖ କରାଯାଇଛି । ଏହି ମାମଲାରେ ଦିଲ୍ଲୀ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ଦୁଇ ଜଣ ସାଇକୋଲୋଜି ପ୍ରଫେସରକୁ ସାମିଲ କରାଯାଇଥିଲା । ଚାର୍ଜସିଟ୍‌ ଦାଖଲ ପରେ ତଦନ୍ତକାରୀ ଅଫିସର ଅନୀଲ ଦାସ ଅବସର ନେବେ ।

ଗତବର୍ଷ ଫେବୃଆରୀ ୨୩ରେ ବଲାଙ୍ଗୀର ପାଟଣାଗଡରେ ଏହି ଅଭାବନୀୟ ଘଟଣା ଘଟିଥିଲା । ଅଧ୍ୟାପକ ପୁଂଜିଲାଲର ଚକ୍ରାନ୍ତର ଶିକାର ହୋଇଥିଲେ ନବବିବାହିତ ସୌମ୍ୟଶେଖର ଓ ରୀମା । ସୌମ୍ୟଶେଖରଙ୍କ ମା ସଂଯୁକ୍ତାଙ୍କ ସହ ଚାକିରି କ୍ଷେତ୍ରରେ ଦେଖାଦେଇଥିବା ବିବାଦକୁ ନେଇ ପୁଂଜିଲାଲ ପାର୍ସଲ ବୋମାର ଯୋଜନା ପ୍ରସ୍ତୁତ କରିଥିଲା । ଯାହାର ପରିଣାମରେ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ ପ୍ରାଣ ହରାଇଥିଲେ ଏବଂ ନବବିବାହିତା ରୀମା ସାହୁ ଗୁରୁତର ହୋଇଥିଲେ । ତେବେ କ୍ରାଇମବ୍ରାଚର ତିନିଜଣିଆ ଟିମ ତଦନ୍ତ ଆରମ୍ଭ କରିଥିଲେ । ଗତ ଅଗଷ୍ଟରେ ମାମଲାର ଅନ୍ତରୀଣ ଚାର୍ଜସିଟ୍‌ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ ପୁଂଜିଲାଲ ଏବେ ପାଟଣାଗଡ଼ ଜେଲରେ ରହିଛନ୍ତି ।

Leave A Reply

Your email address will not be published.