ବାଲିଅନ୍ତା,୧୦/୧୨: ଭୁବନେଶ୍ୱର ମହାନଗର ନିଗମ ୪ ନଂ. ଓ୍ବାର୍ଡ ଅଧୀନ ପାହଳ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମିପୂଜା କରିଛନ୍ତି। ଏହି ନୂତନ ଗୃହ ନିର୍ମାଣ ପାଇଁ ଜାତୀୟ ସ୍ବାସ୍ଥ୍ୟ ନିଗମ ପକ୍ଷରୁ ୮୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୧୦ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପୂର୍ତ୍ତବିଭାଗର ଡିଭିଜନ ୪ର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ରାୟ ସୂଚନା ଦେଇଛନ୍ତି। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏମ୍ପି ଡ.ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର(ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ର, କର୍ପୋରେଟର ଗାୟତ୍ରୀ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ବଂଶୀଧର ଭୋଳ, ପଦ୍ମନାଭ ପଟ୍ଟନାୟକ, ନଳିନୀ ସ୍ବାଇଁ, ପପୁ ଲେଙ୍କା, ଦୀପକ ସାମନ୍ତରାୟଙ୍କ ସମେତ ବହୁ ବ୍ୟକ୍ତି ମନ୍ତ୍ରୀ ଜେନାଙ୍କୁ ଭେଟି ପାହଳ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଟ୍ରମାକେୟାର ସେଣ୍ଟର ସ୍ଥାପନ ପାଇଁ ଦାବି କରିଛନ୍ତି।