ମେଲବୋର୍ନ,୩୧।୧୨: ମେଲବୋର୍ନ ଟେଷ୍ଟ ବିଜୟ ପରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଦ୍ରୁତ ବୋଲର ଯଶପ୍ରୀତ୍ ବୁମରାଙ୍କୁ ଅଧିନାୟକ ବିରାଟ କୋହଲି ଭୂୟସୀ ପ୍ରଶଂସା କରିଛନ୍ତି। ପୂଜାରା ମ୍ୟାଚ୍ର ସ୍ଥିତି ଅନୁଯାୟୀ ଖେଳିଥାନ୍ତି। ଦଳର ଆବଶ୍ୟକତା ଅନୁସାରେ ସେ ନିଜର ଖେଳରେ ପରିବର୍ତ୍ତନ ଆଣି ବେଶ୍ ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଗସ୍ତରେ ଉଚ୍ଚକୋଟୀର ପ୍ରଦର୍ଶନ କରିପାରି ନାହାନ୍ତି। ତେବେ ଚଳିତ ସିରିଜରେ ଦୁଇଟି ଶତକ ହାସଲ କରି ଦଳର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୩ଟି ମ୍ୟାଚ୍ ଖେଳି ସେ ଏପର୍ଯ୍ୟନ୍ତ ସର୍ବାଧିକ ୩୨୮ ରନ ସଂଗ୍ରହ କରିଛନ୍ତି। ବିଭିନ୍ନ ପରିସ୍ଥିତିରେ ଆମ ବୋଲରମାନେ ୨୦ଟି ଉଇକେଟ ଅକ୍ତିଆର କରୁଥିବା ବେଳେ ପୂଜାରାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଗୋଟିଏ ପଟେ ପୁଜାରା ତିଷ୍ଠି ରହିଲେ ଓ ଅନ୍ୟପଟେ ବାକି ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କଲେ ଭାରତ ସହଜରେ ୪୦୦ରୁ ଉର୍ଦ୍ଧ୍ୱ ରନ ସଂଗ୍ରହ କରିପାରିବ। ବୋଲିଂ ଓ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ ଯୋଗୁ ବିଜୟୀ ହେଲୁ ବୋଲି ସେ କହିଛନ୍ତି। ପଦାର୍ପଣ କରିଥିବା ଓପନର ମୟଙ୍କ ଅଗ୍ରଓ୍ବାଲଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ବିଜୟରେ ମୟଙ୍କଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଉଭୟ ଇନିଂସରେ ସେ ଲଢୁଆ ପ୍ରଦର୍ଶନ କରିଛନ୍ତି। ହନୁମା ବିହାରୀଙ୍କ ଇନିଂସ ଓପନ କରାଇବା ନିଷ୍ପତ୍ତିକୁ ସେ ଯଥାର୍ଥ ବୋଲି କହିଛନ୍ତି। ୩ ତାରିଖରୁ ସିଡନୀରେ ଆରମ୍ଭ ହେବାକୁ ଥିବ ଚତୁର୍ଥ ଟେଷ୍ଟ ବେଳକୁ ରବିଚନ୍ଦ୍ରନ ଅଶ୍ୱିନ ଫିଟ୍ ହୋଇଯାଇଥିବେ ବୋଲି କୋହଲି ଆଶାପ୍ରକାଶ କରିଛନ୍ତି। ସିଡନୀରେ କିଭଳି ପିଚ୍ ପ୍ରସ୍ତୁତ ହେଉଛି ତାହା ଉପରେ ଏବେ ନଜର ରହିଛି।