ନୂଆଦିଲ୍ଲୀ, ୪/୧୦: ଲୋକଙ୍କ ଧାର୍ମିକ ଭାବନା ସହିତ ଖେଳ ଖେଳିବା ଅଭିଜିତ ଆୟାର ମିତ୍ରଙ୍କୁ ବହୁତ ମହଙ୍ଗା ପଡ଼ିଛି । ଅଭିଜିତଙ୍କୁ ଆଜି କଡ଼ା ଭର୍ତ୍ସନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ ତାଙ୍କର ଜାମିନ ନାମଞ୍ଜୁର ମଧ୍ୟ ହୋଇଛି । ଏବେ ଅଭିଜିତଙ୍କ ଗିରଫଦାରୀ ଆଶଙ୍କା ବଢ଼ିଯାଇଛି । ଓଡ଼ିଶାର ସଂସ୍କୃତି, ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ଏବଂ ଜଗନ୍ନାଥଙ୍କ ଐତିହ୍ୟ ନେଇ କଟୁ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ଜାମିନ ଆବେଦନର ଆଜି ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣୀ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗଗୋଇ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି । ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରିଥିବା ଅଭିଜିତ ଆୟାର କୌଣସି ସୁରକ୍ଷା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ମୁଖ୍ୟ ନ୍ୟାୟାଧୀଶ କହିଛନ୍ତି । ଫଳରେ ଜୀବନ ପ୍ରତି ବିପଦଥିବା ଦର୍ଶାଇ ଜାମିନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ଅଭିଜିତଙ୍କୁ ନିରାଶ ହେବାକୁ ପଡ଼ିଛି ଛ ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛନ୍ତି ଛ ଯଦି ସିଏ ଆସନ୍ତାକାଲି ସୁଦ୍ଧା କୋଣାର୍କ ଥାନାରେ ହାଜର ନ ହୁଅନ୍ତି ତେବେ ଅଭିଜିତଙ୍କ ଗିରଫ ହେବା ସ୍ପଷ୍ଟ ହୋଇଯାଇଛି ।