ପୁରୀରେ ରାଜ୍ୟସ୍ତରୀୟ ମିଶନ ଶକ୍ତି କାର୍ଯ୍ୟକ୍ରମ, ଏସ୍‌ଏଚ୍‌ଜି ଗ୍ରୁପକୁ ପ୍ରୋତ୍ସାହନ ରାଶି ପ୍ରଦାନ

0

ଭୁବନେଶ୍ୱର,୫/୧: ମହିଳାମାନଙ୍କୁ ସ୍ବଂୟ ସହାୟକ ଗୋଷ୍ଠୀ ମାଧ୍ୟମରେ ସଶକ୍ତିକରଣ କରିବା ଲାଗି ଶନିବାର ପୁରୀ ଇନ୍‌ଡୋର ଷ୍ଟାଡିୟମ୍‌ରେ ‘ରାଜ୍ୟସ୍ତରୀୟ ମିଶନ ଶକ୍ତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି। ଏଣିକି ରାଜ୍ୟରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ବିନା ସୁଧରେ ଋଣ ପାଇପାରିବେ । ୩ ଲକ୍ଷ ଟଙ୍କା ଯାଏ ପ୍ରତ୍ୟେକ ଏସ୍‌ଏଚ୍‌ଜି ଗ୍ରୁପକୁ ବିନା ସୁଧରେ ବ୍ୟାଙ୍କରୁ ଋଣ ଆଣିବେ ।

ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀରେ ଥିବା ୬୦ ଲକ୍ଷ ମହିଳା ମତଦାତାଙ୍କ ଉପରେ ଫୋକସ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ଯେମିତି ଚାଷୀଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ଘୋଷଣା ହୋଇଛି, ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀକୁ ୩ ଲକ୍ଷ ଟଙ୍କା ଯାଏ ବିନା ସୁଧରେ ଋଣ ମିଳିବ । ମାତ୍ର ପୂର୍ବରୁ ୧ ପ୍ରତିଶତ ସୁଧ ହାରରେ ଋଣ ଦିଆଯାଉଥିଲା । ଆଜିର ସମାବେଶରେ ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ୩ ଲକ୍ଷ ନୂଆ ଗ୍ରୁପ୍‌କୁ ୧୫ ହଜାର ଟଙ୍କା ଲେଖାଏଁ ସିଡ଼୍‌ ମନି ବା ବୀଜ ରାଶି ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିରେ ସାରା ରାଜ୍ୟରେ ୪୫୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ନୂଆ ଗ୍ରୁପରେ ବର୍ତ୍ତମାନ ୩୦ ଲକ୍ଷ ନୂଆ ସଦସ୍ୟା ରହିଛନ୍ତି । ସେହିପରି ବ୍ଲକ୍‌ ସ୍ତରରେ ଥିବା ପୁରୁଣା ମହାସଂଘ ଗୁଡ଼ିକୁ ୨୫ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ଏହା ସହିତ ପ୍ରତି ସ୍ୱୟଂ ସହାୟକ ଗୋଷ୍ଠୀକୁ ନିଜର କାର୍ଯ୍ୟକୁ ସୂଚରାରୁପେ କରିବାକୁ ସ୍ମାର୍ଟ ଫୋନ୍‌ ଦିଆଯିବ । ଏଥିପାଇଁ ପ୍ରତି ଗୋଷ୍ଠୀକୁ ମୋବାଇଲ ଫୋନ୍‌ ପାଇଁ ୩ ହଜାର ଟଙ୍କାର ଚେକ୍‌ ଦିଆଯାଇଛି । ପ୍ରାୟ ୩୦ ହଜାର କୋଟି ଟଙ୍କା ୩୧ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ଆଇପ୍ୟାଡ଼୍‌ ଜରିଆରେ ଟ୍ରାନ୍ସଫର୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଅଙ୍ଗନାୱାଡ଼ି କର୍ମୀ ଓ ହେଲପର୍‌ଙ୍କୁ ୫୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ କିଛି ନିଆରା ଢଙ୍ଗ ଦେଖିବାକୁ ମିଳିଥିଲା । ଖୋଦ ମୁଖ୍ୟମନ୍ତ୍ରୀ ନିଜେ କିଛି ନ କହି ମହିଳାଙ୍କୁ କହିବାକୁ ସୁଯୋଗ ଦେଇଥିଲେ । ମହିଳାମାନେ ନିଜେ ମିଶନ ଶକ୍ତିରୁ ସାଉଣ୍ଟିଥିବା ଅନୁଭୂତିକୁ ବଖାଣିବାକୁ ସୁଯୋଗ ଦିଆଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ “ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି” ।

Leave A Reply

Your email address will not be published.