ଶ୍ରୀନଗର, ୧୫/୧୨ : ଜାମ୍ମୁ-କାଶ୍ମୀରର ପୁଲୱାମାଠାରେ ଶନିବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ଧରଣର ସଫଳତା ମିଳିଛି । ଆତଙ୍କବାଦୀଙ୍କ ବିରୋଧରେ ସେନା ପକ୍ଷରୁ କରାଯାଇଥିବା କମ୍ବିଂ ଅପରେଶନରେ ହିଜିବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର କମାଣ୍ଡର ଜହୁର ଠୋକର ସମେତ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ହଜିବୁଲ ମୁଜାହିଦ୍ଦିନ ରାଷ୍ଟ୍ରୀୟ ରାଇଫଲର ଯବାନ ଔରଙ୍ଗଜେବଙ୍କ ହତ୍ୟା ମାମଲାର ମୁଖ୍ୟ ଆରୋପୀ ଥିଲା । ସୂଚନା ମୁତାବକ, ୨/୩ ଜଣ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ସିର୍ନୁ ଗାଁ ନିକଟରେ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସେଠାରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଉପରକୁ ପାଲଟା ଗୁଳିଚାଳନା କରିଥିଲେ । ଏହି ଗୁଳିଚାଳନାରେ ହଜିବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର କମାଣ୍ଡର ଜହୁର ଠୋକର ସମେତ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟ ପକ୍ଷରେ ଆତଙ୍କବାଦୀଙ୍କ ଗୁଳିରେ ସେନାର ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ସେଠାରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ସୂଚନା ମିଳିଛି ।