ବାରିପଦା,୨୮/୧ : ପୂର୍ବତନ ମନ୍ତ୍ରୀ ଡକ୍ଟର ଚୈତନ୍ୟ ପ୍ରସାଦ ମାଝୀଙ୍କର ସୋମବାର ସକାଳ ୭ଟା ୧୦ ମିନିଟରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବୟସାଧିକ ଯୋଗୁ ଗତ କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ୧୯୨୯ ମସିହା ନଭେମ୍ବର ୧୯ରେ ସ୍ବର୍ଗତ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୨ରୁ ୧୯୭୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ରହିଥିଲେ। କେନ୍ଦ୍ର ପେଟ୍ରୋଲିୟମ ଉପମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ।
କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ସ୍ଵର୍ଗତ ମାଝୀ ଜନତା ଦଳରେ ଯୋଗ ଦେଇଥିଲେ। ୧୯୮୬ରେ ରାଇରଙ୍ଗପୁର ସଂରକ୍ଷିତ ଆସନରୁ ସେ ଉପନିର୍ବାଚନରେ ବାଜିମାତ କରିଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଦ୍ୱିତୀୟଥର ପାଇଁ ରାଇରଙ୍ଗପୁରରୁ ବିଧାୟକ ହୋଇଥିଲେ। ୨୦୦୪ରେ ସେ ବିଜୁ ଜନତା ଦଳରୁ ବାଙ୍ଗିରିପୋଷୀ ସଂରକ୍ଷିତ ଆସନରୁ ବିଜୟୀ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ସରକାରରେ ସ୍ବର୍ଗତ ମାଝୀ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିବା ସହ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଟ୍ରାଇବାଲ ଲିଟେରାରି ଫୋରମର ସଦସ୍ୟ ଥିଲେ। ଚୈତନ ମାଝୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି।