ବେଙ୍ଗାଲୁରୁ,୫/୧: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ବଲିଉଡରେ ସିଙ୍ଘମ ପରି ଅନେକ ହିଟ୍ ଫିଲ୍ମର ଅଂଶ ରହିଥିବା ନାମୀଦାମୀ ଅଭିନେତା ପ୍ରକାଶ ରାଜ ୨୦୧୯ ଲୋକସଭା ନିର୍ବାଚନରେ ବେଙ୍ଗାଲୁରୁ ମଧ୍ୟରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି।
ଏହା ପୂର୍ବରୁ ପ୍ରକାଶ ନୂତନ ବର୍ଷରେ ନିର୍ବାଚନ ଲଢିବା ଘୋଷଣା କରି ଟ୍ଵିଟ୍ କରିଥିଲେ। ଏଥରେ ସେ ଲେଖିଥିଲେ ଯେ ସମସ୍ତଙ୍କୁ ନୂତନ ବର୍ଷର ଶୁଭକାମନା। ଏକ ନୂତନ କ୍ୟାରିୟର ଆରମ୍ଭ ହେବାକୁ ଯାଉଛି ଏବଂ ବହୁତ ଦାୟିତ୍ଵ ରହିଛି। ଆପଣଙ୍କ ସମର୍ଥନରେ ମୁଁ ଆଗାମୀ ଲୋକସଭା ନିର୍ବାଚନରେ ନିର୍ଦ୍ଦଳୀୟ ପ୍ରାର୍ଥୀ ରୂପେ ନିର୍ବାଚନ ଲଢିବି। ନିର୍ବାଚନ କ୍ଷେତ୍ରରେ ସମ୍ଵନ୍ଧିତ ସୂଚନା ଶୀଘ୍ର ସେୟାର କରିବି ବୋଲି ପ୍ରକାଶ ଟ୍ଵିଟ୍ ମାଧ୍ୟମରେ ଜଣାଇଥିଲେ। ଅବ କି ବାର ଜନତାଙ୍କ ସରକାର। ଏହି ପରିପ୍ରେକ୍ଷୀରେ ପ୍ରକାଶ ଏବେ ସ୍ପଷ୍ଟ କରିଛନ୍ତି ଯେ ସେ ବେଙ୍ଗାଲୁରୁ ମଧ୍ୟ ଲୋକସଭା ସିଟରୁ ନିର୍ବାଚନ ଲଢିବେ।
ଉଲ୍ଲେଖଯୋଗ୍ୟ ପ୍ରକାଶ ରାଜ ଅନେକ ଥର ବିଜେପି ସରକାରର ସମାଲୋଚନା କରିବା କାରଣରୁ ଚର୍ଚ୍ଚାରେ ରହି ସାରିଛନ୍ତି। କର୍ଣ୍ଣାଟକରେ ୟେଦୁରପ୍ପାଙ୍କ ଇସ୍ତଫା ପରେ ସେ ବିଜେପି ଓ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି କହିଥିଲେ ଯେ କର୍ଣ୍ଣାଟକର ରଙ୍ଗ ଗେରୁଆ ହେବ ନାହିଁ। ମ୍ୟାଚ୍ ଆରମ୍ଭ ପୂର୍ବରୁ ଶେଷ। ୫୬ ଇଞ୍ଚକୁ ଭୁଲି ଯାଆନ୍ତୁ ସେମାନେ ୫୫ ଘଣ୍ଟା ମଧ୍ୟ କର୍ଣ୍ଣାଟକକୁ ସମ୍ଭାଳି ପାରିଲେ ନାହିଁ। ତାଙ୍କର ଏହି ବୟାନ ସାମାଜିକ ଗଣମାଧ୍ୟମରେ ବହୁତ ଟ୍ରୋଲ ହୋଇଥିଲା।
Prev Post
Next Post