ଭୁବନେଶ୍ୱର,୧୧/୪: ଗୁରୁବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ୨୧୭ ପ୍ରାର୍ଥୀଙ୍କର ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ୭୨୩୩ ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ଏହାର ଦେଢଘଣ୍ଟା ପୂର୍ବରୁ ମକ୍ ପୋଲ କରାଯାଇଥିଲା। ସକାଳେ ମତଦାନ ସାମାନ୍ୟ ମାନ୍ଦା ରହିଥିଲେ ମଧ୍ୟ ପୂର୍ବାହ୍ନ ୧୦ଟା ବେଳକୁ ଭୋଟରଙ୍କ ଭିଟ ପରିଲକ୍ଷିତ ହୋଇଥିଲା। ପୂର୍ବାହ୍ନ ୧ଟା ସୁଦ୍ଧା ୪୧ ପ୍ରତିଶତ ମତଦାନ ହୋଇଥିବା ବେଳେ ଅପରାହ୍ନ ୫ଟା ବେଳକୁ ଏହା ୬୬ ପ୍ରତିଶତରେ ପହଞ୍ଚିଥିଲା। ରାଜ୍ୟରେ ମତଦାନ ଶାନ୍ତିପୂର୍ଣ୍ଣ ହୋଇଛି। କେତେକ ସ୍ଥାନରେ ଯାନ୍ତ୍ରିକ ତୃଟି ଯୋଗୁ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା। ୩୦ ରୁ ୪୦ ମିନିଟ ମଧ୍ୟରେ ସେସବୁକୁ ଠିକ କରି ମତଦାନକୁ ସ୍ବାଭାବିକ କରାଯାଇଥିଲା। କେତେକ ସ୍ଥାନରେ ଭୋଟ ବର୍ଜନ ଖବର ଆସିଛି। କିଛି ଜାଗାରେ ଶୂନ ପୋଲିଂ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।
ତେବେ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ଜିଲାର ଚିତ୍ରକୋଣ୍ଡା ଅଞ୍ଚଳରେ ୧୫ଟି ବୁଥରେ କେହି ମତଦାନ କରି ନାହାନ୍ତି। ମାଓବାଦୀ ଭୟରେ ଚିତ୍ରକୋଣ୍ଡାର ୯ଟି ବୁଥ ଏବଂ ମାଥିଲି ବ୍ଲକର ୬ଟି ବୁଥରେ ଭୋଟ ଦେବାକୁ ଆସି ନ ଥିଲେ। ଏମ.ଭି-୧୪ରେ ଇଭିଏମ୍ ତୃଟି ଯୋଗୁ ମତଦାନ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଜଣାପଡିଛି।